ଶୀତରେ ଥରୁଛି ସାରା ଓଡ଼ିଶା

ପୁଣି ଫେରିଲା ଜାଡ଼

ଭୁବନେଶ୍ୱର: କିଛି ଦିନ ଧରି ସାମାନ୍ୟ କମିବା ପରେ ରାଜ୍ୟକୁ ପୁଣିଥରେ ଫେରିଛି ଜାଡ଼। ଗତ ୨ ଦିନ ଧରି ରାଜ୍ୟରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ସନ୍ଧ୍ୟା ହେଲେ ଦେହ ହାତ କାଲୁଆ ହୋଇଯାଉଛି। ସକାଳ ୯ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଆସନ୍ତା ୨୪ ଘଣ୍ଟା ପାଇଁ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେପଟେ, ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବଲାଙ୍ଗିର ଓ କନ୍ଧମାଳ ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ଖୋର୍ଦ୍ଧା। ମିଳିଥିବା ସୂଚନା ଅନୁସାରେ,  ଏହି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରା କମ୍ ରହିବାର ଥିବାରୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି।

ତେବେ ମୋଟ ଉପରେ କହିବାକୁ ଗଲେ, ଟ୍ୱିନ ସିଟିରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଚା’ ଦୋକାନ ଗୁଡ଼ିକରେ ଲୋକଙ୍କ ଗହଳି ଲାଗୁଛି। କିଏ ନିଆଁ ଜାଳି ବସୁଛି ତ ଆଉ କିଏ ମର୍ଣ୍ଣିଂ ୱାର୍କ କରି ଥଣ୍ଡାକୁ ଆଡ଼ୋଉଛି।

You might also like