ଓଡ଼ିଶା ଅର୍ଥନୀତିରୁ ଧୋଇ ହୋଇଯିବ ୧୯୨୭ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତିକୁ ଢେର୍ ମହଙ୍ଗା ପଡ଼ିବ ସପ୍ତାହନ୍ତ ସଟ୍‌ଡାଉନ୍। ଅର୍ଥନୀତିରୁ ଧୋଇ ହୋଇଯିବ ୧ ହଜାର ୯୨୭ କୋଟି ଟଙ୍କା। ଏମିତିକି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ପୂରା ଦେଶ। ନିଜର ସଦ୍ୟତମ ରିପୋର୍ଟରେ ଏମିତି ଆକଳନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଅର୍ଥନୀତି ବିଶାରଦଙ୍କ ମତରେ, ଏବେ ୱିକେଣ୍ଡ ସଟ୍‌ଡାଉନ୍‌ର ପ୍ରଭାବ ନଗଣ୍ୟ ରହିଛି।

ତେବେ ଆଗାମୀ ଦିନରେ ଯଦି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ବଢ଼ିବ, ତେବେ ନିଶ୍ଚିତ ପ୍ରଭାବିତ ହେବ ଅର୍ଥନୀତି। ଏପଟେ ୱିକେଣ୍ଡ ସଟ୍‌ଡାଉନ୍ ବ୍ୟବସାୟ ସହ ବ୍ୟକ୍ତିଗତ ଜୀବନକୁ ଢେର୍ ପ୍ରଭାପ ପକାଇବ ବୋଲି ଆଶଙ୍କା କଲାଣି ବ୍ୟବସାୟୀ ସଂଘ।

ସେପଟେ ଟୀକା ପ୍ରସଙ୍ଗରେ ଏସବି ଇ-ରିପୋର୍ଟ କହୁଛି, ଓଡ଼ିଶାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ୩ କୋଟି ୧୦ ଲକ୍ଷ ଲୋକ ଅଛନ୍ତି, ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନଙ୍କ ଭିତରୁ ୫୦ ଲକ୍ଷ ଲୋକ ଟୀକା ନେଇସାରିଲେଣି ଏପ୍ରିଲ ଶେଷ ସୁଦ୍ଧା ଏହି ସଂଖ୍ୟା ୬୦ ଲକ୍ଷ ଛୁଇଁବ। ଏହାପରେ ଟୀକା ନେବାକୁ ରାଜ୍ୟରେ ରହିବେ ଆଉ ୨ କୋଟି ୪୦ ଲକ୍ଷ।

ଯଦି ସେମାନଙ୍କ ମଧ୍ୟରୁ ୫୦ ଭାଗ ଲୋକଙ୍କୁ କେନ୍ଦ୍ର ସରକାର ଟୀକା ଯୋଗାଇଦିଅନ୍ତି, ବଳକା ଲୋକଙ୍କୁ ଟିକାକରଣ ପାଇଁ ଓଡ଼ିଶାକୁ ଆବଶ୍ୟକ ୯୬୮ କୋଟି ଟଙ୍କା, ଯାହାକି ରାଜ୍ୟ ସ୍ୱାସ୍ଥ୍ୟ ବଜେଟ ମାତ୍ର ୧୦% ରାଜ୍ୟବାସୀଙ୍କୁ ଟୀକା ଯୋଗାଇବା ପାଇଁ ଓଡ଼ିଶା ପାଖରେ ପଯର୍ୟାପ୍ତ ସମ୍ବଳ ରହିଛି ବୋଲି ମତ ରଖିଛନ୍ତି ବିଶେଷଜ୍ଞ।

You might also like