ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର:ରାଜ୍ୟରେ ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ହୁ ହୁ ହୋଇ ବଢିଯାଇଛି। ଏପଟେ ଟିକାକରଣ ଚାଲିଥିଲେ ମଧ୍ୟ ଟିକା ପର୍ଯ୍ୟାପ୍ତ ପରିମାଣର ମିଳୁନାହିଁ। ପରିସ୍ଥିତିକୁ ଦେଖି ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋଲା ବଜାରରେ ମିଳୁ କରୋନା ଟିକ।  ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଟିକା ଖୋଲା ବଜାରରେ ମିଳିଲେ ଆଶାୟୀ ଟିକା କିଣି ନେଇପାରିବେ।  ବିଶ୍ୱରେ ସ୍ୱୀକୃତ ଟିକାକୁ ଆମ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳୁ। ଏପରି ହେଲେ ଟିକା ଯୋଗାଣ ବୃଦ୍ଧି କରାଯାଇ ପାରିବ ବୋଲି ନବୀନ ଲେଖିଛନ୍ତି।

ଭାରତରେ ଟିକା ଉତ୍ପାଦନ ନେଇ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟିକା ଉତ୍ପାଦନ ବଢ଼ାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷେ, କରୋନା ସ୍ଥିତି ନେଇ ଆଜି ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଓ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ବୈଠକରେ ନୂଆ ପଦକ୍ଷେପ ସଂପର୍କରେ ମଧ୍ୟ ଆଲୋଚନା ହୋଇପାରେ । ଏହାପରେ ସୋମବାର ଦିନ ଦେଶରେ ଥିବା ଏମ୍‌ସ ହସ୍ପିଟାଲ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ତେବେ ତା ପୂର୍ବରୁ ଗତକାଲି ହର୍ଷବର୍ଦ୍ଧନ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟର ବୁଲି ଦେଖିଛନ୍ତି । ଏହାସହ କୋଭିଡ୍ ଓ୍ୱାର୍ଡର ମ୍ୟାନେଜମେଣ୍ଟ ନେଇ ସମୀକ୍ଷା କରିଛନ୍ତି । କେବଳ ଏତିକି ନୁହେଁ, ଦେଶରେ ରେମଡେସିଭିର୍ ଔଷଧର କଳାବଜାରୀ ରୋକିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ।

ସେହିପରି କରୋନା ମୁକାବିଲା ପାଇଁ   ଅକ୍ସିଜେନର ଚାହିଦା ଓ ମହଜୁଦ୍‌ର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ଯେପରି ଅଭାବ ନ ହେବ, ତାହାକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଇଛନ୍ତି । ଦେଶରେ ଅକ୍ସିଜେନ୍ ଉତ୍ପାଦନ ବଢ଼ାଇବା ଲାଗି କଂପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଅକ୍ସିଜେନର ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ପାର୍ଥକ୍ୟ ଦୂର କରିବା ଲାଗି ଅଧିକରୁ ଅଧିକ ଅକ୍ସିଜେନ୍ ସିଲିଣ୍ଡର ଆମଦାନୀ କରିବାକୁ ପଦକ୍ଷେପ ନିଆଯାଇଛି।

ଅନ୍ୟ ଦେଶରୁ ୫୦ ହଜାର ମେଟ୍ରିକ ଟନ୍ ଅକ୍ସିଜେନ୍ ଆମଦାନୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଟେଣ୍ଡର ଡାକିବାକୁ  ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କୁହାଯାଇଛି । ଏହାଛଡ଼ା ପିଏମ୍ କେୟାର ଅର୍ଥରେ ଦେଶର ୧୦୦ଟି ହସ୍ପିଟାଲରେ ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ କରାଯିବ ବୋଲି କୁହାଯାଇଛି। କେବଳ ଏତିକି ନୁହେଁ, କଂପାନୀଗୁଡ଼ିକ ନିଜ ନିଜ କ୍ଷମତା ଅନୁସାରେ ଉତ୍ପାଦନ ବଢ଼ାଇବାକୁ ମୋଦି କହିଛନ୍ତ।

 

You might also like