ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ ଶେଷ : ସହର ବଜାରରେ ଲୋକଙ୍କ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସମସ୍ତ ସହରାଞ୍ଚଳରେ ଲାଗିଥିବା ସପ୍ତାହାନ୍ତ ସଟଡାଉନ ଶେଷ ହୋଇଛି । ଫଳରେ ଆଜି ସକାଳୁ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରା ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଏହି ସଟଡାଉନ କରାଯାଇଥିଲା । ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ ସମେତ ସବୁ ବଡ଼ ବଡ଼ ସହର ଓ ମୁନିସାପାଲିଟି ଓ ଏନଏସି ଅଞ୍ଚଳରେ ବି ସପ୍ତାହନ୍ତ ସଟଡାଉନର ପ୍ରଭାବ ପଡ଼ିଛି  ।କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନଥିବାରୁ ରାସ୍ତା ଓ ବଜାର ଘାଟ ଖାଁ ଖାଁ ଥିଲା । ବ୍ୟସ୍ତବହୁଳ ସହରାଞ୍ଚଲରେ ଲାଗି ରହିଥିଲା ଶୂନଶାନ ପରିବେଶ ଦେଖିବାକୁ ମିଳିଥିଲା ।

ସେପଟେ ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭ୍ୟାକ୍ସିନ୍ ଦେବା ପାଇଁ ଘୋଷଣା ପରେ ଏହି ଧାରାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଏନେଇ ନିର୍ଦ୍ଦେଶ ଦେଇସାରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଏହି ବର୍ଗର ପ୍ରାୟ ୨ କୋଟି ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା ମେ ପହିଲାରେ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ସମସ୍ତେ ଯେମିତି ମାଗଣାରେ ଟିକା ପାଇ ପାରିବେ ସେଥିପାଇଁ ସମସ୍ତେ ଦାୟିତ୍ୱ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାବ୍ୟତୀତ ସମସ୍ତଙ୍କୁ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ହାତଯୋଡ଼ି ନିବେଦନ କରିବା ସହ ଅତି ଜରୁରୀ ନଥିଲେ ବାହାରକୁ ଯାଆନ୍ତୁନି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଲକଡାଉନ୍ କିମ୍ବା ସଟଡାଉ ଉନ କେବେ ବି ଚାହିଁବିନି, କେହି ବି ଚାହିଁବେନି । କାରଣ ଏହା ଅର୍ଥନୀତିକୁ ଦୁର୍ବଳ କରିଦେବ ।

ତେଣୁ କୋଭିଡ ନିୟମ ପାଳନ କରିବା, ତେବେ ବିନା ଲକଡାଉନରେ କୋଭିଡ ଯୁଦ୍ଧରେ ବିଜୟ ଲାଭ କରିପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟ ସରକାରଙ୍କ ମାଗଣା ଟିକା ଘୋଷଣା ଭିତରେ ୨ କମ୍ପାନୀକୁ ଅର୍ଡର ଦେଇସାରିଛନ୍ତି ରାଜ୍ୟ ସରକାର ।  ୩ କୋଟି ୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ୍ ଟିକା ପାଇଁ ଅର୍ଡର ଦେଇଥିବା ସୂଚନା ମିଳିଛି । ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ପାଇଁ ଅର୍ଡର ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିକା ଅର୍ଡର କରିଥିବା ସୂଚନା ମିଳିଛି ।

You might also like