ଦୁଇ ସାବିତ୍ରୀଙ୍କ କରୁଣ କାହାଣୀ

  • ହସ୍ପିଟାଲ୍ ବେଡ୍‌ରେ ଜୀବନ ସହ ଜୁଝୁଛନ୍ତି ସ୍ୱାମୀ
  • ଜୀବନର ପ୍ରଥମ ସାବିତ୍ରୀ ବ୍ରତ ରଖି ସ୍ୱାମୀଙ୍କ ମଙ୍ଗଳ କାମନା
  • ସତ୍ୟବାନଙ୍କ ଜୀବନ ରକ୍ଷା ଲାଗି ଦୁଇ ସାବିତ୍ରୀଙ୍କ ସଂଘର୍ଷ ଗାଥା
  • ଇକ୍‌ମୋ ଚିକିତ୍ସାରେ ଥାଇ ଜୀବନ ସହ ଜୁଝୁଛନ୍ତି ସତ୍ୟବାନ

ଭୁବନେଶ୍ୱର : ହସ୍ପିଟାଲ୍ ବେଡ୍‌ରେ  ଜୀବନ ସହ ସ୍ୱାମୀ ଜୁଝୁଛନ୍ତି, ଆଉ ଆଜି ଭଳି ଦିନରେ ଜୀବନର ପ୍ରଥମ ସାବିତ୍ରୀ ବ୍ରତ ରଖି ସ୍ୱାମୀଙ୍କ ମଙ୍ଗଳ ମନାସିଛନ୍ତି, ଜୀବନ ବଞ୍ଚାଇବାରେ ଆଗକୁ ସହଯୋଗର ଆଶା ରଖିଛନ୍ତି ପତ୍ନୀ। ଆମେ କହୁଛୁ ଜୀବନ ରକ୍ଷାକାରୀ ଇକ୍‌ମୋ ଚିକିତ୍ସାରେ ଥିବା ଦୁଇ ଯୁବକ ଅଭିଷେକ ଓ ଦିବ୍ୟ ରଞ୍ଜନଙ୍କ ପତ୍ନୀଙ୍କ କଥା।

ସାବିତ୍ରୀ ଅମାବାସ୍ୟାରେ ସତ୍ୟବାନଙ୍କ ଜୀବନ ରକ୍ଷା ଲାଗି ଦୁଇ ସାବିତ୍ରୀଙ୍କ ସଂଘର୍ଷର କାହାଣୀ। କିଏ ନିଜ ପ୍ରିୟ ମଣିଷଟି ପାଇଁ ନିଜର ବାକି ଆୟୂଷ ଦେବାକୁ ପ୍ରସ୍ତୁତ ତ କିଏ ନିଜ ସିନ୍ଦୂରର ସୁରକ୍ଷା ପାଇଁ ମାଗିଚାଲିଛି ଆଶୀର୍ବାଦ। ଯମ ଦୂଆରୁ ସ୍ୱାମୀର ଜୀବନ ଫେରାଇ ଆଣିବାକୁ ସଧବା ନାରୀଟିଏ ପାଖେ ଆଉ ସମ୍ବଳ କ’ଣ ଯେ? ସେଦିନ ସାବିତ୍ରୀ ଯାହା କରିଥିଲେ, ଆଜି ସେଇ ସାବିତ୍ରୀଙ୍କ ବ୍ରତ ରଖି ଏ ଦୁହେଁ ବି ଠିକ୍ ସେୟା କରୁଥିବା ଦେଖାଯାଏ।

ମୌସୁମୀ ମହାନ୍ତି ବିବାହକୁ ୮ ଦିନ ଯାଇନି। ସୁଖର ସଂସାର ଆରମ୍ଭ ହେଉ ହେଉ କୋଭିଡ୍‌ରେ ଆକ୍ରାନ୍ତ ହେଲେ ସ୍ୱାମୀ ଅଭିଷେକ ମହାପାତ୍ର। ଦେଖୁ ଦେଖୁ ସ୍ଥିତି ଏତେ ବିଗିଡ଼ିଗଲା ଯେ ଜୀବନ ବଞ୍ଚାଇବାର ଶେଷ ଭରସା ଇକ୍‌ମୋ ସହାୟତାରେ ଏବେ ଚାଲିଛି ତାଙ୍କ ଚିକିତ୍ସା। ତେବେ ବଡ଼ କଥା ହେଉଛି, ଯେଉଁ ଚିକିତ୍ସା ସୁବିଧା ହାସଲ କରିବା ତାଙ୍କ ପାଇଁ ସ୍ୱପ୍ନ, ଭଗବାନଙ୍କ କୃପାରୁ ସେଇ ସୁବିଧା ଏବେ ତାଙ୍କ ସ୍ୱାମୀଙ୍କୁ ମିଳିଛି। ଆଗକୁ ପ୍ରଚୁର ଅର୍ଥର ଆବଶ୍ୟକତା ତ ଅଛି, ହେଲେ ଭରସା ବି ଅଛି- ପାଖରେ କିଛି ନ ଥାଇ ବି ଏଯାଏଁ ଯେମିତି ହୋଇ ଚାଲିଛି, ଆଗକୁ ବି ସେମିତି ସହଯୋଗର ହାତ ଲମ୍ବିବ। ନିଶ୍ଚୟ ସୁସ୍ଥ ହେବେ ସ୍ୱାମୀ। ପ୍ରଥମ ସାବିତ୍ରୀରେ ନ ହେଲା ନାଇଁ ଆର ସାବିତ୍ରୀକୁ ତାଙ୍କ ସତ୍ୟବାନ ତାଙ୍କ ପାଖରେ ଥିବେ।

ସେହିପରି ବାହାଘରକୁ ବର୍ଷେ ପୂରିନି କରୋନାରେ ଆକ୍ରାନ୍ତ ହୋଇ ମରଣ ସହ ଲଢୁଥିବା ସ୍ୱାମୀ ଦିବ୍ୟରଞ୍ଜନ ବେହେରାଙ୍କ ପାଇଁ ବି ଆଜି ପ୍ରଥମ ସାବିତ୍ରୀ ବ୍ରତ ରଖିଛନ୍ତି ପତ୍ନୀ ପ୍ରତିଭା ପ୍ରିୟଦର୍ଶିନୀ। କୋଳରେ ଦୁଇ ମାସର ପୁଅ। ଏଇ ପୁଅର ଏକୋଇଶିଆ ସରିଛି ତ କୋଭିଡ୍‌ରେ ଆକ୍ରାନ୍ତ ହେଲେ ଦିବ୍ୟରଞ୍ଜନ। ଆଉ ତା’ ପରଠୁ ସମ୍ ହସ୍ପିଟାଲ୍‌ରେ ସେ ବି ଏବେ ଜୀବନରକ୍ଷାକାରୀ ଇକ୍‌ମୋ ଚିକିତ୍ସାରେ। ହେଲେ ଏ ବ୍ୟୟବହୁଳ ଚିକିତ୍ସାର ଭାର ବୋହିବାକୁ ତାଙ୍କ ପାଖରେ ଅର୍ଥ ନାହିଁ। ହସ୍ପିଟାଲ୍ ବିଲ୍ ଦିଆହୋଇନି। ହେଲେ ଆଶ୍ୱାସନାର କଥା ହେଉଛି ସ୍ୱାମୀଙ୍କର ଚିକିତ୍ସା ଚାଲିଛି କିନ୍ତୁ ଆଗକୁ କେତେ ଦିନ ଏ ଲଢ଼େଇ ଚାଲିବ, ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆସିବ? ଯମ ଦୂଆରୁ ସ୍ୱାମୀଙ୍କ ଜୀବନ କେମିତି ଫେରିବ? ସେଇ ଚିନ୍ତା ସହ ପ୍ରଥମ ସାବିତ୍ରୀ ବ୍ରତ ରଖି ଦିବ୍ୟରଞ୍ଜନଙ୍କ ଜୀବନ ଭିକ୍ଷା କରିଛନ୍ତି ପ୍ରତିଭା।

ସାବିତ୍ରୀ ଓଷାରେ ସ୍ୱାମୀଙ୍କ ଜୀବନ ପାଇଁ ଏ ଦୁଇ ସାବିତ୍ରୀଙ୍କ ସଂଘର୍ଷ ଭିତରେ ଆମେ ବି ଆଶା ରଖୁଛୁ ସବୁକିଛି ଭଲ ହେଉ, ଚିକିତ୍ସା ପାଇଁ ଅର୍ଥର ଅଭାବ ନ ହେଉ ଯମ ଦୂଆରୁ ସାବିତ୍ରୀଙ୍କ ପାଖକୁ ଫେରିଆସନ୍ତୁ ସତ୍ୟବାନ।

You might also like