ପରୀକ୍ଷାର୍ଥୀଙ୍କୁ ବାଟ ଦେଖାଇବ ପରୀକ୍ଷା ଦର୍ପଣ

ରାହା ଦେଖାଇବ ପରୀକ୍ଷା ଦର୍ପଣ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ରାହା ଦେଖାଇବ ପରୀକ୍ଷା ଦର୍ପଣ। ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ରାଜ୍ୟର ସମସ୍ତ ପରୀକ୍ଷାର୍ଥୀଙ୍କୁ ୭ ଶହ ପୃଷ୍ଠା ସମ୍ବଳିତ ଅଭ୍ୟାସ ପୁସ୍ତିକା। ପରୀକ୍ଷା ଦର୍ପଣକୁ ମାଗଣାରେ ଯୋଗାଇବେ ରାଜ୍ୟ ସରକାର। ମିଳିଥିବା ସୂଚନା ଅନୁସାରେ, ମେ ୩ରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ଏହି ଟେଷ୍ଟପେପର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

କରୋନା କାଳରେ ଛାତ୍ର ଜୀବନର ସବୁଠୁ ବଡ଼ ପରୀକ୍ଷାକୁ କେମିତି ସାମ୍ନା କରିବେ ଛାତ୍ରଛାତ୍ରୀ ?
ମାଟ୍ରିକ୍ ପରୀକ୍ଷା ପାଇଁ କିଭଳି ହେବେ ପ୍ରସ୍ତୁତ ?
କେମିତିକା ପ୍ରଶ୍ନ ଆସିବ ?
କିଭଳି ଉତ୍ତର ଲେଖିଲେ ମିଳିବ ଭଲ ମାର୍କ ?
ବାଟ ଦେଖାଇବ ପରୀକ୍ଷା ଦର୍ପଣ

ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଦର୍ପଣ ପୁସ୍ତିକା ପ୍ରସ୍ତୁତ କରୁଛି ମାଧ୍ୟମିକ ଶିକ୍ଷା ବୋର୍ଡ। ଟେଷ୍ଟ ପେପର ଭଳି ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ବହି ପ୍ରସ୍ତୁତ ହେଉଛି। କରୋନା ପାଇଁ ଚଳିତ ବର୍ଷ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ହେଉଥିବାରୁ ସେହି ଅନୁସାରେ ପରୀକ୍ଷା ଦର୍ପଣରେ ପ୍ରତି ବିଷୟରୁ ପ୍ରଶ୍ନୋତ୍ତର ରହିବ। ୭ ଶହ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକକୁ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ରାଜ୍ୟର ୬ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ବଣ୍ଟାଯିବ। ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହା ଯୋଗାଇ ଦିଆଯିବ। ପରୀକ୍ଷାର୍ଥୀଙ୍କ ଆବଶ୍ୟକତାକୁ ଦେଖି କେଉଁ ଜିଲ୍ଲାକୁ କେତେ ବହି ଦରକାର ସେନେଇ ୨୨ ତାରିଖ ସୁଦ୍ଧା ତାଲିକା ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ କୁହାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ, ” ୬ ଲକ୍ଷ ୨୦ ହଜାର ୫୦୮ ବହି ଆମେ ପିଲାମାନଙ୍କୁ ମାଗଣାରେ ଦେବା ଲାଗି ନିଷ୍ପତ୍ତି ନେଇଛୁ। ପରୀକ୍ଷା ଦର୍ପଣ ନାଁରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ ଏହି କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତେବେ ପିଲାମାନଙ୍କ ପାଖରେ କେବେ ବହି ପହଞ୍ଚିବ ସେନେଇ ନିଷ୍ପତ୍ତି ବି ନିଆଯିବ “ବୋଲି ମନ୍ତ୍ରୀ କହିଛନ୍ତି।

କୋଭିଡ ମହାମାରୀ ପାଇଁ ପାଖାପାଖି ୯ ମାସ କାଳ ବନ୍ଦ ରହିବା ପରେ ଦଶମ ପିଲାଙ୍କ ପାଇଁ ଗତ ୮ ତାରିଖରୁ ସ୍କୁଲ ଖୋଲିଛି। ମାତ୍ର ଶହେ ଦିନର ପାଠପଢ଼ା ପରେ ପରୀକ୍ଷାକୁ ଯିବେ ଛାତ୍ରଛାତ୍ରୀ । ତେଣୁ ଏତେ କମ୍ ସମୟରେ ପ୍ରସ୍ତୁତି ପାଇଁ ଶିକ୍ଷା ଦର୍ପଣ ପୁସ୍ତିକା ସେମାନଙ୍କୁ ସହାୟକ ହେବ ବୋଲି ଆଶା କରିଛନ୍ତି ଛାତ୍ରଛାତ୍ରୀ।

ସେପଟେ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟତା ପାଇଁ ଦୂରଦର୍ଶନରେ ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମର ବି ଆରମ୍ଭ ହେଉଛି। ଆସନ୍ତା ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଦୂରଦର୍ଶନରେ ଏହି କାର୍ଯ୍ୟକ୍ରମ ପ୍ରସାରଣର ବ୍ୟବସ୍ଥା ହୋଇଛି।

ବାଲେଶ୍ୱରରୁ ରଶ୍ଣିରଂଜନ ଦାଶ, ଜୟପୁର ଟି.ଗୌରୀଶଙ୍କର ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like