ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ନଅ ମାସର ପ୍ରତିକ୍ଷାରେ ଅନ୍ତ ଘଟିଲା। ପୁଣିଥରେ କୋଳାହଳମୟ ହୋଇଉଠିଲା ଶ୍ରୀମନ୍ଦିର। ଜଗନ୍ନାଥ ମୟ ପରିବେଶ ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଶ୍ରୀମନ୍ଦିର। ସକାଳ ୭ଟାରୁ ରାତ୍ର ପହୁଡ଼ ଯାଏଁ ଚାଲିବ ଦର୍ଶନ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛି। ମହାମହିମ ରାଜ୍ୟପାଳ କୋଭିଡ ନିୟମକୁ ପାଳନ କରି ପତିତପାବନଙ୍କୁ ଦର୍ଶନ କରିଛନ୍ତି। ସେପଟେ କୋଭିଡ଼ ଟେଷ୍ଟ ରିପୋର୍ଟ ଦେଖାଇ ଦର୍ଶନାର୍ଥୀ ନିୟମପାଳି ଯାଉଛନ୍ତି। ତେଣୁ ଆଗକୁ ପୁରୀରେ କୋଭିଡ ଟେଷ୍ଟ କିଭଳି କରାଯାଇପାରିବ ତା ଉପରେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଆଜିଠୁ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇଛି। ସମସ୍ତେ କୋଭିଡ୍ ନିୟମ ପାଳନ କରି ମହାପ୍ରଭୁଙ୍କ ଦର୍ଶନ କରନ୍ତୁ। ତେବେ ଆଗାମୀ ୭-୮ ଦିନ କେତେ ଲୋକ ସମାଗମ ହେଉଛନ୍ତି, ଏହାକୁ ଦେଖି ଆଗକୁ କଣ ବ୍ୟବସ୍ଥା କରାଯାଇପାରିବ ସେ ଉପରେ ବିଚାର କରିବୁ। ସମସ୍ତେ କୋଭିଡ୍ ନେଗେଟିଭ ସାର୍ଟିଫିକେଟ୍‌ର ଯାହା ରିକ୍ୱାରମେଣ୍ଟ ରହିଛି, ତାହା ସମସ୍ତେ ମାନନ୍ତୁ। ପୁରୀରେ  କୋଭିଡ୍ ପରିଚାଳନା କରିବା ଆମ ପାଇଁ ସବୁଠୁ ଗୁରୁଦାୟିତ୍ୱ। ଆଗକୁ ପୁରୀରେ କୋଭିଡ ଟେଷ୍ଟ କିଭଳି କରାଯାଇପାରିବ ତା ଉପରେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯିବ।
କ୍ରିଶନ୍ କୁମାର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭିନ୍ନ ଏକ ଭକ୍ତିମୟ ପରିବେଶ, ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଆଜି ସକାଳୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ଜଗନ୍ନାଥ ପ୍ରେମୀ ଭକ୍ତ, ଶ୍ରଦ୍ଧାଳୁ ମାର୍କେଟ ଛକରେ ଏକତ୍ରିତ ହୋଇଥିଲେ। ଶ୍ରଦ୍ଧାଳୁ ମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ପରିଚୟ ପତ୍ର, ଆଧାର କାର୍ଡ ଧରି ବ୍ୟାରିକେଡ଼ରେ ପ୍ରବେଶ କରିଥିଲେ। ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟ ନିକଟରେ ପହଁଚିବା ପରେ ହୋଇଥିବା କିଓସ୍କୋରେ ପୁନଃ କୋଭିଡ ନେଗେଟିଭ ରିପୋର୍ଟ ଓ ପରିଚୟ ପତ୍ର ଦେଖାଇ ଫଟୋଗ୍ରାଫି କରିବା ପରେ ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ। ଅତି ସୁନ୍ଦର ଭାବେ ପ୍ରଭୁଙ୍କ ଦର୍ଶନ କରିବା ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ।

ଦୀର୍ଘ ୯ ମାସ ପରେ ପୁଣିଥରେ ଚଳଚଞ୍ଚଳ ହୋଇପଡିଛି ପୁରୀ ଶ୍ରୀମନ୍ଦିର। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା। ଫଳରେ କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ପ୍ରଥମେ ଡିସେମ୍ବର ୨୩ରୁ ୨୫ ସେବାୟତ ପରିବାର ଓ ୨୬ରୁ ୩୧ପୁରୀ ପୌରପାଳିକା ଅନ୍ତର୍ଗତ ସହରବାସୀ ପ୍ରଭୁଙ୍କ ଦର୍ଶନ କରିଥିଲେ। ଜାନୁଆରୀ ୧ ଓ ୨ ଶ୍ରୀମନ୍ଦିର ବନ୍ଦ ରହିବା ପରେ ଆଜିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।

ରାତ୍ର ପହୁଡ଼ ଯାଏଁ ଯେତେ ବି ଶ୍ରଦ୍ଧାଳୁ କୋଭିଡ ନେଗେଟିଭ ରିପୋର୍ଟ ଧରି ବ୍ୟାରିକେଡ଼ରେ ଆସିବେ ସେମାନଙ୍କ ପାଇଁ ଦର୍ଶନ ସୁଯୋଗ ମିଳିବ। ପୁରୀ ସହରବାସୀଙ୍କ ପାଇଁ ମଧ୍ୟ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ରହିଥିବା ଏସଓପି ବଳବତ୍ତର ରହିଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର ମଧ୍ୟ ଏସଓପିକୁ ମାନି ବ୍ୟାରିକେଡ଼ରେ ଯାଇ ଦର୍ଶନ କରିଥିଲେ। ଆଜିଠାରୁ ପର୍ଯ୍ୟାୟକ୍ରମେ ୧୫ରୁ ୧୭ ହଜାର ଭକ୍ତ ଦର୍ଶନ କରିପାରିବାର ବ୍ୟବସ୍ଥା କରାଯାଇଛି। ଫେବୃଆରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସ୍ୱାଭାବିକ ହେବାର ସମ୍ଭାବନା ରହିଛି।

You might also like