ଟାର୍ଗେଟ ଆସିନାହିଁ, ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ
ପିଛା ଛାଡୁନାହିଁ ଚାଷୀଙ୍କ ମଣ୍ଡି ଟେନସନ
ଭଦ୍ରକ:(କିର୍ତ୍ତି ଦାସ) ପିଛା ଛାଡୁନାହିଁ ଚାଷୀଙ୍କ ମଣ୍ଡି ଟେନସନ। ଡିସେମ୍ବର ମାସ ଯାଇ ଜାନୁଆରୀ ସରିବାକୁ ବସିଲାଣି, ଏପଟେ ମୁଣ୍ଡ ଉପରେ ଘୋଟି ରହିଛି ମେଘ। କିନ୍ତୁ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ଗଦା ହୋଇ ରହିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଂଚଳର ଶହ ଶହ ଚାଷୀଙ୍କ ଧାନ ମଣ୍ଡିରେ ଗଦା ହୋଇ ରହିଛି। ଏ ନେଇ ଚାଷୀ ପ୍ରଶ୍ନ କଲେ ସମବାୟ ସମିତି କହୁଛି ସରକାରଙ୍କ ଟାର୍ଗେଟ ଆସିନି ବୋଲି। ଆଉ ଟାର୍ଗେଟ ଆସିଲେ ଧାନ ଯିବ। ବର୍ଷ ଯାକର ହାଡଭଙ୍ଗା ପରିଶ୍ରମ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ବଳକା ଧାନ ବିକିବା ପାଇଁ ଚାଷୀ ଏବେ ଦହଗଞ୍ଜ ହେଉଥିବା ଦେଖିବାକୁ ମିଳିଛି।
ଚଳିତବର୍ଷ ବାସୁଦେବପୁର ବ୍ଲକରେ ୧୪ହଜାର ୯୮ଜଣ ଚାଷୀ ଧାନ ଦେବାକୁ ପଞ୍ଜୀକୃତ କରିଥିଲେ। ୨୦ଟି ସମବାୟ ସମିତି ଓ ୭ଟି ମହିଳା ସ୍ୱୟଂ ସହାୟୀକା ଗୋଷ୍ଠି ଦ୍ୱାରା ଏହି ଧାନ କିଣାଯାଉଛି। ପ୍ରଥମ ପର୍ଯ୍ୟାୟ ଧାନକିଣା ଚାଲିଥିବା ବେଳେ, ଏବେ ଆଉ ଟାର୍ଗେଟ ନାହିଁ ବୋଲି ସମିତିରୁ ଧାନ ଉଠୁନାହିଁ ବୋଲି ଜଣାପଡ଼ିଛି। ସେପଟେ ଏ ନେଇ ଆଡିସିନାଲ୍ ଏସଆରସିଙ୍କୁ ପଚାରିବାରୁ ଦ୍ୱିତୀୟ ପର୍ଯ୍ୟାୟ ଟାର୍ଗେଟ୍ ଆସିଲେ ଚାଷୀଙ୍କ ଧାନ ଉଠିବ ବୋଲି କହିଛନ୍ତି।