“ସୁଯୋଗ ମିଳିଲେ ପାକିସ୍ତାନ ସହ ଲଢ଼େଇ କରିବି “

ଆତଙ୍କବାଦୀଙ୍କ ହମଲାରେ ସହିଦ ହୋଇଥିଲେ ୪୦ ଯବାନ

ଜଗତସିଂହପୁର (ରିପୋର୍ଟ-ଶଶାଙ୍କ ଶେଖର ପଣ୍ଡା): ୨୦୧୯ ଫେବୃୟାରୀ ୧୪। ଏହି ତାରିଖ କାନରେ ପଡିଲେ ଥରି ଉଠେ ଛାତି। ଆଉ ଦେହରେ ଖେଳିଯାଏ ଶିହରଣ। କାରଣ ଏହି ଦିନ ଜାମ୍ମୁକାଶ୍ମୀରର ପୁଲୱାମାରେ ସେନା ଗାଡି ଉପରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଆତଙ୍କବାଦୀଙ୍କ ହମଲାରେ ସହିଦ ହୋଇଥିଲେ ୪୦ ଯବାନ। ଆଉ ସେମାନଙ୍କ ମଧ୍ୟରେ ଥିଲେ ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁର ସହିଦ ପ୍ରସନ୍ନ ସାହୁ…. ପୁଲୱାମା ଆକ୍ରମଣକୁ ୨ ବର୍ଷ ପୂରିବାକୁ ଥିବା ବେଳେ ସେନା ଦିବସ ଅବସରରେ ସେହି ବୀରପୁଅକୁ ଝୁରୁଛି ନିଜ ଜନ୍ମମାଟି ଓ ସାରାଦେଶ। ଦେଶ ପାଇଁ ସ୍ୱାମୀଙ୍କ ବଳିଦାନକୁ ନେଇ ନିଜକୁ ଧନ୍ୟ ମନେ କରୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ।

ପ୍ରସନ୍ନଙ୍କ ସ୍ମୃତିରେ ଗାଁରେ ତିଆରି ହୋଇଛି ପ୍ରତିମୂର୍ତ୍ତି। ଗାଁଲୋକ ଓ ପରିବାର ଲୋକଙ୍କ ସହାୟତାରେ ସ୍ଥାପିତ ଏହି ପ୍ରତିମୂର୍ତ୍ତି ବଖାଣୁଛି ବୀର ଓଡ଼ିଆ ଯବାନଙ୍କ ବୀରତ୍ୱର ଗାଥା। ଯାହାଙ୍କ ପାଇଁ ଗାଁ ଲୋକେ ଆଜି ଗର୍ବିତ ଓ ପରିଚିତ ହୋଇପାରିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଘୋଷଣାକୁ ନେଇ ଅସନ୍ତୋଷ ବି ଜାହିର କରିଛନ୍ତି । ଗାଁ ସ୍କୁଲର ନାମକରଣ ଓ ପାର୍କ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ନାହିଁ। ସହିଦଙ୍କ ସନ୍ତାନ ହୋଇଥିବାରୁ ସବୁ ସ୍ଥାନରେ ତାଙ୍କୁ ସମ୍ମାନ ମିଳୁଛି ବୋଲି ଗର୍ବର ସହ କୁହନ୍ତି ପ୍ରସନ୍ନଙ୍କ ଝିଅ ରୋନୀ ସାହୁ।

ଏହାସହ ଝିଅ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଯାହା ଟଙ୍କା ମିଳିବା କଥା ତାହା ଆମକୁ ମିଳିସାରିଛି। ତେବେ ପ୍ରତିଶ୍ରୁତି ଦିଆଯାଇଥିଲା କି ବାପାଙ୍କ ନାଁରେ ପାର୍କ ଓ ରାସ୍ତା ନିର୍ମାଣ କରିବେ। ଏହାସହ ସ୍କୁଲ ନିର୍ମାଣ କରିବା ପାଇଁ କୁହାଯାଇଥିଲା। କିନ୍ତୁ ୨ ବର୍ଷ ପରେ ଏ ସବୁ ହୋଇପାରିନାହିଁ। ବାପାଙ୍କୁ ବହୁତ ମନେ ପକାଉଛୁ ବୋଲି ଝିଅ କହିଛନ୍ତି।

କେଇ ଦିନ ତଳେ ଗାଁଲୋକଙ୍କ ସହଯୋଗରେ ପ୍ରସନ୍ନଙ୍କ ପରିବାର ଚାନ୍ଦା କରି ପ୍ରତିମୂର୍ତ୍ତୀଟିଏ ସ୍ଥାପନ କରିଛନ୍ତି। ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଏହା ଉନ୍ମୋଚିତ ହୋଇ ସାରିଛି। ହେଲେ ଶିଖରଘାଟ ବ୍ରିଜ ସହୀଦ ପ୍ରସନ୍ନ ସାହୁଙ୍କ ନାମରେ ନାମିତ କରିବାକୁ ଜୋରଦାର ଦାବି ହୋଇଛି। ପୁଅ ଜଗନ ମଧ୍ୟ ପିତାଙ୍କୁ ହରାଇ ଭାଙ୍ଗି ପଡି ନାହାଁନ୍ତି। ସୁଯୋଗ ମିଳିଲେ ସେନା ବାହିନୀରେ ଯୋଗ ଦେବାକୁ ଆଶା ରଖିଛନ୍ତି ସହିଦ ପ୍ରସନ୍ନଙ୍କ ପୁଅ।

ସହିଦଙ୍କ ଝିଅ ବି ସମାନ କଥା କହିଛନ୍ତି। ପାର୍କ ଓ ସ୍କୁଲ ତିଆରି ପାଇଁ ପ୍ରତିଶ୍ରୁତି ଦିଆଯାଇଛି। କେବଳ ଏତିକି ନୁହେଁ ସ୍ଥାନୀୟ ବ୍ରିଜକୁ ବାପାଙ୍କ ନାଁରେ ନାମିତ କରିବାକୁ ଆମକୁ କୁହାଯାଇଥିଲା। ଷ୍ଟାଚ୍ୟୁ ଆମେ ନିଜ ଉଦ୍ୟମରେ ନିର୍ମାଣ କରିଛୁ ବୋଲି ପୁଅ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନେ ଡ଼ରିକି ଏବେ ସେନାରେ ଯୋଗ ଦେବାକୁ ଆଗ୍ରହ ଦେଖାଉନାହାନ୍ତି। ମତେ ଯଦି ସୁଯୋଗ ମିଳେ ତେବେ ନିଶ୍ଚିତ ପାକିସ୍ତାନ ବିରୋଧରେ ଲଢେଇ କରିବି ବୋଲି ସହିଦଙ୍କ ପୁଅ କହିଛନ୍ତି।

ସରକାରୀସ୍ତରରେ ପରିବାରକୁ ଯାହା କିଛି ଆର୍ଥୀକ ସହାୟତା ମିଳିବା କଥା ସହିଦ ପ୍ରସନ୍ନ ସାହୁଙ୍କ ପରିବାରକୁ ତାହା ମିଳି ସାରିଛି। ଏବେ ସ୍ମୃତିରକ୍ଷା ପ୍ରତିଶୃତି ଅପୂରଣ ହୋଇ ରହିଛି।

ଆହୁରି ପଢନ୍ତୁ :

ପ୍ରତିବର୍ଷ ମକରରେ ଆସନ୍ତି କିନ୍ତୁ ଏ ବର୍ଷ ଫେରିନାହାନ୍ତି ସ୍ୱାମୀ 

You might also like