ଲୋକଙ୍କୁ ରୋଜଗାର ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର

କରୋନା କାଳରେ ରାଜ୍ୟ ସରକାରଙ୍କୁ ରୋଜଗାର ଚିନ୍ତା

ଭୁବନେଶ୍ୱର: କରୋନା କାଳରେ ରାଜ୍ୟ ସରକାରଙ୍କୁ ରୋଜଗାର ଚିନ୍ତା। ହଜାର ହଜାର ଲୋକ ଜୀବୀକା ହରାଇବା ପରେ କିଭଳି ସେମାନଙ୍କୁ ରୋଜଗାର ମିଳିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନପାଏ ତାକୁ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଗ୍ରାଉଣ୍ଡଜିରୋରେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ। ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ୍ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ରାଜ୍ୟ ସରକାର ରୋଜଗାର ଦେଇପାରୁନଥିବାରୁ ହଜାର ହଜାର ଲୋକ ଭିଟାମାଡ଼ି ଛାଡ଼ି ବାହାର ରାଜ୍ୟକୁ ପଳାଉଛନ୍ତି।

କୋଭିଡ୍ ପାଇଁ ଦୋହଲି ଯାଇଛି ଅର୍ଥନୀତି। ଜୀବନ ଯାଇଛି, ଜୀବିକା ବି ଯାଇଛି। ରୋଜଗାର ନପାଇ ହନ୍ତସନ୍ତ ହେଉଛନ୍ତି ଲକ୍ଷଲକ୍ଷ ଲୋକ। ଅର୍ଥନୀତିକୁ ଟ୍ରାକକୁ  ଆଣିବା ସହ ବେକାରୀଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର ପ୍ରସ୍ତୁତ କରୁଛନ୍ତି ଗୋଟିଏ ପରେ ଗୋଟିଏ ବ୍ଲୁ ପ୍ରିଣ୍ଟ। ସେଥିପାଇଁ MSME ସେର ଲାଗି ୨୯୦ କୋଟିର ପ୍ୟାକେଜ୍ ଘୋଷଣା ସହ ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନପାଏ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଆଉ ଫୋକସରେ ରହିଛି MGNREGS ଓ ସହରାଂଚଳ ରୋଜଗାର ଯୋଜନା ଏଥିରେ ମଜୁରୀ ପାଇବାରେ ବିଳମ୍ବ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଛନ୍ତି।

ଏହା ସହ ଯେଉଁ ଜିଲ୍ଲାଗୁଡ଼ିକରେ ବହୁ ସଂଖ୍ୟାରେ ଲୋକେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି ସେସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନର କାମ ଓ ଅତିରିକ୍ତ ମଜୁରୀ ଦେବାକୁ ଘୋଷଣା କରାଯାଇଛି। ତେବେ ସରକାରଙ୍କ ଏସବୁ ପଦକ୍ଷେପ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି। କରୋନା ସମୟରେ ରାଜ୍ୟରୁ ପ୍ରାୟ ୧୦ ଲକ୍ଷ ପ୍ରବାସୀ ଫେରିଥିଲେ। ହେଲେ ଓଡ଼ିଶାରେ କାମଧନ୍ଦା ଅଭାବରୁ ପୁଣି ବାହାର ରାଜ୍ୟକୁ ଫେରିଛନ୍ତି ଯାହାକୁ ନେଇ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ତେବେ ରୋଜଗାରର ଏ ସୁନେଲୀ ସରକାରୀ ଚିତ୍ରର ବାସ୍ତବିକ୍ ଦିଗଟି କଣ। ଗଂଜାମ ଆସିକା ବ୍ଲକ୍ ନୂଆଗାଁର ମାଗୁଣି ନାୟକ। ଜର୍ବ କାର୍ଡ ଥାଇ ବି ନରେଗା ଯୋଜନାରେ କାମ ମିଳୁନି। ସେପଟେ ମଧୁର ଝୋଳି ଗାଁର ମନୋଜ ନାୟକ ତାଙ୍କ ପାଖରେ ମଧ୍ୟ କାମ ନଥିବାରୁ ହାତବାନ୍ଧି ବସିଛନ୍ତି। କେବେଳ ଏ ଦୁଇ ଜଣ ନୁହଁନ୍ତି ରାଜ୍ୟରେ ହଜାର ହଜାର ଲୋକ ଏଭଳି କାମଧନ୍ଦା ନପାଇ ହଇରାଣ ହେଉଛନ୍ତି ।

କରୋନା କାଳରେ ଲକ୍ଷ ଲକ୍ଷ ଲୋକ ବେକାର ହୋଇଛନ୍ତି। ସେପଟେ MGNREGSରେ ଲୋକଙ୍କ ବଦଳରେ ମେସିନ୍ ବ୍ୟବହାର ହେଉଥିବାରୁ ଅନେକ ଲୋକ କାମ ପାଉ ନଥିବା ଅଭିଯୋଗ ହେଉଛି।

You might also like