କିପରି ଅଛି ରାଜ୍ୟର ସ୍ଥିତି ? ଓଡ଼ିଶାରେ ୟୁକେ ଷ୍ଟ୍ରେନ୍ ଚିହ୍ନଟ ସମ୍ପର୍କରେ ସୂଚନା ଦେଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶା ସ୍ଥିତି ଠିକ୍ ଅଛି। ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ILS ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା  ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ଭାଇରସକୁ ମାତ ଦେଇ ସୁସ୍ଥ ହୋଇ ସାରିଛନ୍ତି । ସେମାନେ ଆରୋଗ୍ୟ ହେବାସହ କାହାକୁ ସଂକ୍ରମିତ କରି ନଥିବା ସୂଚନା ମିଳିଛି।

ଅନ୍ୟପଟେ ILS ନିର୍ଦ୍ଦେଶ  ଅଜୟ ପରିଡ଼ା କହିଛନ୍ତି, ମହାରାଷ୍ଟ୍ର, ପଞ୍ଜାବରେ ବର୍ତ୍ତମାନ ଷ୍ଟ୍ରେନର ସଂକ୍ରମଣ ହାର ଅଧିକ । ପଞ୍ଜାବରେ ୭୦ ପ୍ରତିଶତ ୟୁକେ ଭେରିଏଣ୍ଟ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ପୁନଃ ସଂକ୍ରମଣ ହାର ୧:୧ରୁ ୧:୧.୫କୁ ବଢ଼ିଛି, କିନ୍ତୁ ଏହି ଷ୍ଟ୍ରେନ୍ ସେତେଟା ମାରାତ୍ମକ ନୁହେଁ । ILSରେ ପରୀକ୍ଷା ହୋଥିବା ୨୨୦ ସାମ୍ପଲରୁ N44୦K ଆସିଛି, ଯାହା ଭୟଙ୍କର ନୁହେଁ ବୋଲି ସେ କହିଛନ୍ତି।   ଓଡ଼ିଶାର ସ୍ଥିତି ଭଲ ଥିଲେ ସୁଦ୍ଧା ବର୍ତ୍ତମାନର ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ବପର୍ବାଣୀରେ ସତର୍କ ରହିବା ଦରକାର । ତେବେ ଏନେଇ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ଭାଇରସକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟରେ ଆଜି ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ଉପରମୁହାଁ କରୋନା ମିଟର। ରାଜ୍ୟରେ ୨୪ ଘଣ୍ଟାରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୧୪ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୧୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୮୮ ଚିହ୍ନଟ ହୋଇଛନ୍ତି। ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା୧୧୫୧ ଥିବା ବେଳେ ଭାଇରସକୁ ହରାଇ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୩୩୭ ଆକ୍ରାନ୍ତ ।

ସେପଟେ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ବ୍ୟାପିଲାଣି କରୋନା । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ ର ଜଣେ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂଙ୍କ ସୂଚନା ଅନୁସାରେ, ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥଲେ।  ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିବାବେଳେ ତାଙ୍କ ଠାରୁ ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା ଏବଂ ତାଙ୍କର ନମୁନା ପଜିଟିଭ ଆସିଛି । ଏହାପରଠାରୁ ଛାତ୍ର ଜଣକ ଘରେ ଅଛନ୍ତି । ତେବେ ଛାତ୍ରଙ୍କ କଣ୍ଟା ଟ୍ରେସିଂ ଜାରି ରହିଛି ଏବଂ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଭାଇସ ପ୍ରିନ୍ସିପାଲ କହିଛନ୍ତି ।

ସେପଟେ ରାଜଧାନୀରେ ଆଜିଠୁ ଆରମ୍ଭ ହୋଇଛି ରାଣ୍ଡମ ଟେଷ୍ଟିଂ । ବର୍ତ୍ତମାନ ଦିନକୁ ୬ଶହ RTPCR ଟେଷ୍ଟ, ହଜାରେ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ଟାର୍ଗେଟ୍ ରଖିଛି ବିଏମସି ।  ଆଗକୁ ଏହି ସଂଖ୍ୟା ବଢାଯିବ । ଖାଲି ସେତିକି ନୁହେଁ ଆଗାମୀ ଦିନରେ ମଲ ଏବଂ ମାର୍କେଟରେ ମଧ୍ୟ ଟେଷ୍ଟିଂ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

You might also like