ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଏବେ କେମିତି ଅଛନ୍ତି ଶ୍ରୀଜିଉ?

ପୁରୀ: ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଅନବସରର ଆଜି ତୃତୀୟ ଦିନରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବେ ଦଇତାପତି ସେବକ।

ଅନବସରର ଗୁପ୍ତ ସେବା ପ୍ରକାରେ ଦ୍ୱିପହର ଧୂପ ପରେ ଅଣସର ତାଟି ଖୋଲାଯିବ। ଦଇତାପତି ସେବକ ତିନି ଠାକୁରଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ଓଲାଗି କରିବା ପରେ ସମସ୍ତ ନୀତିକାନ୍ତି ପାଳନ ହେବ। ସେପଟେ ଚାଲିଛି ପଟିଦିଅଁଙ୍କୁ ପୂଜାର୍ଚ୍ଚନା। ପଟିଦିଅଁ ଅନନ୍ତ ବାସୁଦେବ, ନାରାୟଣ, ଭୁବନେଶ୍ୱରୀଙ୍କ ସହ ଦଶଅବତାର ଠାକୁରଙ୍କୁ ପୂଜା କରାଯାଉଛି।

ଏପଟେ ଅଲାରନାଥ ପୀଠରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ଲକଡାଉନ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁ ନାହାନ୍ତି। ତେବେ ହାତଗଣତି ସେବାୟତ ରୀତିନୀତି ଅନୁଯାୟୀ ଠାକୁରଙ୍କ ପୂଜାର୍ଚ୍ଚନା ଚଳାଇଛନ୍ତି।

ଗତକାଲି ମାତ୍ର ୧୧ ଜଣ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିଥିବା ବେଳେ ଆଜି ୬୦ ଜଣ ସେବାୟତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି।

You might also like