ଶୁଖିଲା ପଡିଛି ମହେନ୍ଦ୍ରତନୟା ନଦୀ : ପ୍ରଥମଥର ପାଇଁ ଶୁଷ୍କ ଯୋଗୁଁ ଚିନ୍ତାରେ ପାରଳାଖେମୁଣ୍ଡି ବାସିନ୍ଦା

ମହେନ୍ଦ୍ରତନୟାର ସ୍ରୋତ ଶୁଖିବା ଯୋଗୁଁ ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା
ଆଗକୁ ସ୍ଥିତି ଉତ୍କଟ ହେବା ସମ୍ଭାବନା

ଗଜପତି(ଆଦର୍ଶ ଦାଶ): କଷ୍ଟ ଦେଉଛି ଶୁଖିଲା ନଈ । ପାରଳାଖେମୁଣ୍ଡି ସହରବାସୀ, ଗୋଷାଣି ଓ ରାୟଗଡ ବ୍ଲକର ଲାଇଫଲାଇନ୍ ମହେନ୍ଦ୍ରତନୟା ନଦୀ ଏବେ ଶୁଖିଲା ପଡିଛି । ଫଳରେ ଏସବୁ ଅଂଚଳରେ ବିଶେଷ କରି ପାରଳାଖେମୁଣ୍ଡି ସହର ଲୋକେ ନିକଟ ଭବିଷ୍ୟତରେ ଘୋର ଜଳ ସଙ୍କଟର ସମ୍ମୁଖୀନ ହେବା ନିଶ୍ଚିତ ହୋଇଯାଇଛି । ପାନୀୟ ଜଳ ତ ଦୂରର କଥା, ଗାଧୋଇବା ପାଇଁ ମଧ୍ୟ ପାଣି ଟୋପାଏ ନାହିଁ ।

ମହେନ୍ଦ୍ରତନୟା ନଦୀ ଏବେ ଖେଳ ପଡିଆର ଭ୍ରମ ସୃଷ୍ଟି କରୁଛି । ପ୍ରଥମ ଥର ପାଇଁ ନଦୀ ଶୁଖିଲା ପଡିଥିବାରୁ ଚିନ୍ତାରେ ପଡିଯାଇଛନ୍ତି ପାରଳାଖେମୁଣ୍ଡି ବାସୀ ।  କାରଣ ଏବେ ଯେଭଳି ନିଦାଘ ଗ୍ରୀଷ୍ମ ହେଉଛି, ଆଉ କିଛି ଦିନ ଭିତରେ ଲୋକେ ଜଳକଷ୍ଟ ଭୋଗିବା ନିଶ୍ଚିତ । ଏହି ନଦୀ ପାଣିକୁ ଲୋକେ ପାନୀୟ ଜଳଠୁ ଜଳସେଚନ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ହେଲେ ନଦୀର ସ୍ରୋତ ଶୁଖିବା ଯୋଗୁଁ ଭୂତଳ ଜଳ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଫଳରେ ସହରର ଜଳ ଯୋଗାଣ ପାଇଁ ଖୋଳାଯାଇଥିବା ବୋର୍ ଅଚଳ ହେବାର ମଧ୍ୟ ସମ୍ଭାବନା ରହିଛି । ପାରଳାଖେମୁଣ୍ଡି ସହର ଉପକଣ୍ଠରେ କିଛି ଦିନ ହେଲା ନଦୀର ଜଳସ୍ତର କମୁଥିଲେ ମଧ୍ୟ ଏହାର ସଂରକ୍ଷଣ ବ୍ୟବସ୍ଥା କରାଯାଉନଥିବାରୁ ଲୋକେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି ।

ପାରଳାଖେମୁଣ୍ଡି ସହରକୁ ପ୍ରତିଦିନ ୭ ମିଲିୟନ ଲିଟର ପାଣିର ଆବଶ୍ୟକତା ପଡୁଛି । ନଦୀ ଶୁଖିଯିବା ଯୋଗୁଁ କମିବାରେ ଲାଗିଛି  । ଭୂତଳ ଜଳସ୍ତର ୬ଟି ସ୍ଥାନରୁ ପାଣି ଉଠାଯାଇ ସହରକୁ ଜଳ ଯୋଗାଣ କରାଯାଉଛି । ସେଥିରୁ ୪ଟି ସ୍ଥାନରେ ଜଳ ଶୁଖିଯାଇଥିବା ବେଳେ ମାତ୍ର ଦୁଇଟି ସ୍ଥାନରେ ଅଳ୍ପ କିଛି ରହିଛି । ଆଗକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ଏକମାତ୍ର ବିକଳ୍ପ ବୋଲି ଜନସ୍ୱାସ୍ଥ୍ୟ ବିଭାଗ କହିଛି ।

ପ୍ରତିବର୍ଷ ଜାନୁୟାରୀ ମାସରେ ମହେନ୍ଦ୍ରତନୟା ପୋଲ ତଳ ପାଖରେ ବାଲି ବସ୍ତା ପକାଇ ପାଣିକୁ ରଖାଯାଉଥିଲା ୧ କିନ୍ତୁ ଏବର୍ଷ ଏଭଳି କିଛି ପଦକ୍ଷେପ ନିଆଯାଇନଥିବାରୁ ନଦୀ ଶୁଖିଲା ପଡିଥିବା ଅଭିଯୋଗ ହେଉଛି । ଖରାଦିନ ସରିବାକୁ ଆହୁରି ୩ ମାସ ଥିବା ବେଳେ ଆଗକୁ ସ୍ଥିତି କେତେ ଯେ ଉତ୍କଟ ହେବ, ତାକୁ ନେଇ ସମସ୍ତେ ଚିନ୍ତାରେ ।

You might also like