ବାହାରୁ ଆସୁଥିବା ଯାତ୍ରୀଙ୍କ ହାତରେ ଲାଗିବ ଷ୍ଟାମ୍ପ୍‌

ଭୁବନେଶ୍ୱର: ଯେଉଁମାନେ ବାହାରୁ ଫେରିବେ ସେମାନଙ୍କ ରେଜିଷ୍ଟ୍ରେସନ ନିହାତି ଜରୁରୀ। ଲୋକେ ଟ୍ରେନରେ କିମ୍ବା ଚାଲି ଚାଲି ଯେଉଁଥିରେ ଆସନ୍ତୁ ନା କାହିଁକି, ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ବର୍ତ୍ତମାନ ୱେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେସନ କରୁଛନ୍ତି। ରାସ୍ତାରେ ୧୧ଟି ଚେକ୍ ପଏଣ୍ଟରେ ଓଡ଼ିଶାକୁ ଆସିପାରିବେ। ସବୁ ଚେକ୍ ପଏଣ୍ଟରେ ଓଡ଼ିଶାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସେଠି ଡାଟା ଚେକ୍ ହେବା ପରେ ଯଦି ରେଜିଷ୍ଟ୍ରେସନ କରିନଥିବେ, ତେବେ ରେଜିଷ୍ଟ୍ରେସନ କରିପାରିବେ। ଭିଡ଼ ଦୃଷ୍ଟିରୁ ଆସିବା ପୂର୍ବରୁ ଆଗୁଆ ରେଜିଷ୍ଟ୍ରେସନ କରିଦେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ପ୍ରତି ଯାତ୍ରୀଙ୍କର ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲାଗିବ। ଗାଡ଼ିର ୱିଣ୍ଡ ସିଲ୍‌ରେ ତଥ୍ୟ ସମ୍ବଳିତ ଷ୍ଟିକର ଲାଗିବ, ଏହା ପାସ୍ ଭଳି କାମ ଦେବ। ଜିଲ୍ଲା ପ୍ରଶାସନର କାର୍ଯ୍ୟରତ କର୍ମଚାରୀ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇଯିବେ। କେରଳରୁ ଆଜି ଓ ଗୁଜରାଟରୁ କିଛି ଦିନ ପରେ ଗୋଟିଏ ଟ୍ରେନ ଆସିବ। ହେଲେ ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା କୌଣସି ଟ୍ରେନ ଆସିପାରିବ ନାହିଁ।

ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଷ୍ଟେସନରେ ଆସୁଥିବା ଯାତ୍ରୀଙ୍କୁ ସେଠାରୁ ଅନ୍ୟତ୍ର ନିଆଯିବ। ଏହା ପରେ ସରକାରୀ ଖର୍ଚ୍ଚରେ ସେମାନଙ୍କୁ ନିଜ ଗାଁ କ୍ୱାରେଣ୍ଟିନରେ ପହଞ୍ଚାଯିବ। ସହରାଞ୍ଚଳରେ କ୍ୱାରେଣ୍ଟିନ ଅଧିକାରୀ ହୋମ୍ କ୍ୱାରେଣ୍ଟାଇନ୍‌ କରିପାରିବେ। ସ୍ୱାସ୍ଥ୍ୟ ଅଧିକାରୀ ତଥ୍ୟ ଯାଞ୍ଚ କରି ସେମାନଙ୍କୁ କ୍ୱାରେଣ୍ଟାଇନ୍‌ କରାଇବେ, ଯଦି ସ୍ୱାସ୍ଥ୍ୟାବସ୍ଥା ଭଲ ଥିବ, ସେମାନେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ।

ସହରାଞ୍ଚଳରେ ପେଡ୍ କ୍ୱାରେଣ୍ଟାଇନ୍‌ରେ ମଧ୍ୟ ଲୋକ ରହିପାରିବେ। ଏନେଇ କିଛି ନିର୍ଦ୍ଦିଷ୍ଟ ଲଜ୍, ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳରେ ଆଗନ୍ତୁକମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଗ୍ରାମାଞ୍ଚଳର ପ୍ରସୂତି, ଶିଶୁ, ଦିବ୍ୟାଙ୍ଗଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅନୁମତି ମିଳିବ ବୋଲି କୁହାଯାଇଛି।

You might also like