• translate
Satyendu Shekher Mishra

ଭୁବନେଶ୍ୱର: ଚାଷୀଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ଚାଷୀଙ୍କ ଠାରୁ ଏବେ ଆଉ ଧାନ କିଣିବେନି ରାଜ୍ୟ ସରକାର । କେନ୍ଦ୍ର କୋଟ୍‌କୁ ବଲ ଗଡ଼େଇ ନିଜ ଧୂଳି ଝାଡ଼ିଦେଲେ ରାଜ୍ୟ ସରକାର ।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ସୂଚନା ଦେଇ କହିଛନ୍ତି ଯେ, ଏବେ ଆଉ ଚାଷୀଙ୍କଠାରୁ ଧାନ କିଣାଯିବ ନାହିଁ । ଯେତିକି କିଣାଯିବାକୁ ସ୍ଥିର ହୋଇଥିଲା, ସେତିକି ମାତ୍ରାରେ ଧାନ ସରକାର କିଣି ସାରିଛନ୍ତି । କେନ୍ଦ୍ରର ନିର୍ଦ୍ଧାରିତ ତାରିଖ ପରେ ଆଉ ଧାନ କିଣାଯିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ୮୩% ଚାଷୀଙ୍କଠାରୁ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ୯୧ ପ୍ରତିଶତ ଚାଷୀଙ୍କ ଠାରୁ ଧାନ କିଣା ହୋଇଛି ।

ଅନ୍ୟପଟେ ଧାନ ସଂଗ୍ରହକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ଦିନକୁ ଦିନ ଜୋରଦାର ହେଉଛି । ଏହାକୁ ନେଇ ମଧ୍ୟ ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଯାହା ବି ଅଭିଯୋଗ ଅଛି ମୋ ପାଖକୁ ଆସନ୍ତୁ, ସମସ୍ୟା ଥିଲେ ବୁଝାବୁଝି କରିବ ।’ ଏହାସହ ମନ୍ତ୍ରୀ ବିରୋଧୀଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ଯେ, ୧୭ଟି ଜିଲ୍ଲାରେ ରବି ଫସଲ ହେଉଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ୩୦ଟି ଯାକ ଜିଲ୍ଲାରେ କାହିଁକି ଆନ୍ଦୋଳନ କରୁଛନ୍ତି । ଚାଷୀଙ୍କ ନାଁ ନେଇ ବିଜେପି କେବଳ ରାଜନୀତି କରୁଛି । ଏହା ବିଜେପିର ରାଜନୈତିକ ବାଧ୍ୟବାଧକତା ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ।

ଅନ୍ୟପଟେ ଗତ ଦୁଇ ଦିନ ହେବ ବିଜେପି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଣ୍ଡିରେ ଧାନ ପଡ଼ି ରହିଥିବା ନେଇ ଆନ୍ଦୋଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନର ଯୋଗାଣ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲା ବିଜେପି । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ଦାବି କରିଥିଲା । ଶହ ଶହ ବସ୍ତା ଧାନ ମଣ୍ଡିରେ ରଖି ଚାଷୀ ନାନା ଅସୁବିଧାର ସମ୍ମୁଖୀନ ହେଉଛି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା ।

ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବଲାଙ୍ଗିର ସିଏସ୍ଓଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯାଇଥିଲା । ସିଏସ୍ଓଙ୍କୁ ୫ ଦଫା ଦାବି ପତ୍ର ଦେବାକୁ ବିଜେପି ନେତା ଓ କର୍ମୀ ଅପେକ୍ଷା କରିଥିବା ବେଳେ ସିଏସ୍ଓ ଆସିନଥିଲେ । ଏହାପରେ ବିଜେପି ନେତା ସିଏସ୍ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସିଏସ୍ଓ ଆସିବା ପରେ ତାଙ୍କୁ ଘେରାଉ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ କହିଛନ୍ତି ରାଜ୍ୟ ସରକାର ଚାହିଁଲେ ଟୋକନ୍ ଅବଧି ବଢାଇପାରିବେ ।

Other Stories