ବଜାରରେ କରୋନା ମାଡ଼, ବେପାର ମାନ୍ଦା
ଭୁବନେଶ୍ୱର: କରୋନାର ପ୍ରଭାବ ଏବେ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି। ଯେଉଁଛି ଦେଖିବ ସେଠି ଖାଁ ଖାଁ। ରାଜ୍ୟର ବଡ଼ ବଡ଼ ସହରରେ ଥିବା ମଲ ତଥା କମ୍ଲେକ୍ସକୁ ଲୋକେ ଯିବାର ନାହିଁ। ଦେଖିଲେ ଲାଗିବ, ଚାରିଆଡ଼େ କର୍ଫ୍ୟୁର ଦୃଶ୍ୟ। ଏପରି ସ୍ଥିତି ଲାଗି ରହିଲେ ରାଜ୍ୟ ଅର୍ଥନୀତିର ସ୍ଥିତି ଜଟିଳ ହେବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଆଶଙ୍କା କରିଛି। ଆଉ ଅପରପଟେ ଗରାଖ ନ ଆସିବାରୁ ଦୋକାନୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ଆଜି ଥିଲା ରବିବାର। ଖଚାଖଚ୍ ହେବା କଥା ସପିଂମଲ୍। ହେଲେ ସବୁଠି ଦେଖିବାକୁ ମିଳୁଛି ଖାଲି ଖାଲି। ସପିଂମଲ୍ରେ ଗରାଖଙ୍କ ଦେଖାନାହିଁ। ‘କରୋନା’ ଡ଼ର ଏମିତି ଘାରିଛି ଯେ, ଗହଳି ସ୍ଥାନକୁ ଯିବାକୁ ଲୋକେ ଡରୁଛନ୍ତି। ଭୁବନେଶ୍ୱର ବିଏମ୍ସି ଭବାନୀ ମଲ୍ରେ ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।
ଏଠାରେ ଥିବା ସିନେମା ହଲ ଆଇନକ୍ସ ବନ୍ଦ ରହିଥିବାରୁ ମଲ୍ରେ ଗ୍ରାହକ ସଂଖ୍ୟା ବହୁ ମାତ୍ରାରେ କମିଥିବା କୁହାଯାଉଛି। ଏଣେ ମଲ୍ ବାହାରେ ଲାଗିଛି ବିଏମ୍ସିର ସଚେତନତା ବାର୍ତ୍ତା। କିଛି ବ୍ୟବସାୟୀ ମୁହଁରେ ମାସ୍କ ଲଗାଇ ଦୋକାନ ଖୋଲିଛନ୍ତି। ତେବେ ଆଉ କିଛି ଦୋକାନରେ ତାଲା ଝୁଲିଛି।
ଏପଟେ ନୟାପଲ୍ଲୀ ବିଗ ବଜାରରେ ଦୃଶ୍ୟ ଟିକେ ଭିନ୍ନ। ଭିତରକୁ ଯିବା ପୂର୍ବରୁ ସାନିଟାଇଜରରେ ହାତ ଧୋଇବାକୁ କୁହାଯାଉଛି। ହେଲେ ବେପାର ପୂରା ମାନ୍ଦା ରହିଥିବା କହିଛନ୍ତି ମଲ୍ ବ୍ୟବସାୟୀ ରାହୁଲ ଅଗ୍ରଓ୍ୱାଲ। କଟକ-ଭୁବନେଶ୍ୱରରେ ସବୁ ସପିଂମଲ୍ ଆଜି ଖାଁ ଖାଁ ଦେଖିବାକୁ ମିଳିଥିଲା।
ରାଜ୍ୟର ବ୍ୟାବସାୟିକ ପେଣ୍ଠସ୍ଥଳୀ କଟକ ମାଲଗୋଦାମରେ ମଧ୍ୟ ‘କରୋନା’ ପ୍ରଭାବ ପଡ଼ିଛି। ଭୂତାଣୁ ଭୟ ଏମିତି ଘାରିଛି ଯେ, ଆଖପାଖ ଅଞ୍ଚଳରୁ ଆସୁଥିବା ଛୋଟବଡ଼ ବ୍ୟବସାୟୀ ମାଲଗୋଦାମ ରାସ୍ତା ମାଡୁନାହାନ୍ତି।
ଦୈନିକ ରାଜ୍ୟରେ ପ୍ରାୟ ୪୦୦ କୋଟିର କାରବାର ହୁଏ। ଏବେ ତାହା ୨ଶହରୁ ୨ଶହ ୫୦ କୋଟିକୁ ଖସି ଆସିଛି। ଶିକ୍ଷାନୁଷ୍ଠାନ, ହଷ୍ଟେଲ ସହ ବାହା ଓ ବ୍ରତଘର ଭୋଜି ଉପରେ କଟକଣା ଯୋଗୁଁ ଖୁଚୁରା ବଜାର ଉପରେ ପ୍ରତିକୁଳ ପ୍ରଭାବ ପଡିଛି। ଏଭଳି ସ୍ଥିତି ବେଶୀ ଦିନ ଲାଗି ରହିଲେ ରାଜ୍ୟ ଅର୍ଥନୀତିର ସ୍ଥିତି ଜଟିଳ ହେବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଆଶଙ୍କା ବ୍ୟକ୍ତ କରିଛି।
କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଅନ୍ତର୍ଗତ ଶିକ୍ଷାନୁଷ୍ଠାନ, ମଲ, ସିନେମା ହଲ ଭଳି ଲୋକେ ଏକତ୍ର ହେଉଥିବା ସ୍ଥାନଗୁଡିକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରାଯାଇଛି।