ଅବହେଳିତ ଅବସ୍ଥାରେ ଐତିହ୍ୟର ସ୍ମାରକୀ ଦରଘାବଜାର ଜେଲ୍
କଟକ: କେଉଁଠି କାନ୍ଥରୁ ସିମେଣ୍ଟ ଖସିପଡ଼ିଲାଣି ତ କେଉଁଠି ଛାତ ଦୁର୍ବଳ ହୋଇଗଲାଣି। ଏମିତି ଅବହେଳିତ ଅବସ୍ଥାରେ ଐତିହ୍ୟର ସ୍ମାରକୀ ଭାବେ ପରିଚିତ କଟକ ଦରଘାବଜାର ଅଞ୍ଚଳରେ ଥିବା ପୁରୁଣା ଜେଲ୍ର ସ୍ଥିତି। ଦେଶର ସ୍ୱାଧୀନତା ପାଇଁ ଆନ୍ଦୋଳନ କରି ଓଡିଶାର ବରପୁତ୍ରମାନେ ଏଠାରେ କାଟିଥିଲେ ବନ୍ଦୀ ଜୀବନ। ସଂଗ୍ରାମର ଜୀବନ୍ତ ସ୍ମୃତିକୁ ସାଉଁଟିବା ପାଇଁ ୨୦୧୦ ମସିହାରେ ସରକାର ଏହାକୁ ସ୍ମାରକୀ କରିବା ପାଇଁ ଘୋଷଣା କଲେ। ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ରାତିରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ମଧ୍ୟ ପାଲଟୁଛି ଏହି ସ୍ଥାନ।
୧୮୬୩ ମସିହାରେ ଇଂରେଜମାନେ ତିଆରି କରିଥିଲେ ଏହି ଜେଲ୍। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନବେଳେ ଇଂରେଜ ସରକାରଙ୍କ ଦ୍ୱାରା ଗରିଫ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀଙ୍କ ଭଳି ଅନେକ ସ୍ୱାଧିନତା ସଂଗ୍ରାମୀ ଏଠାରେ ବନ୍ଦୀ ଜୀବନ କାଟିଥିଲେ।
ଜେଲ୍କୁ ସ୍ମାରକୀ କରିବା ପାଇଁ ସରକାରଙ୍କ ଘୋଷଣା ପରେ ଏହାର ପୁନରୁଦ୍ଧାର ଦାୟିତ୍ୱ ଇନ୍ଟାକ୍ ନାମକ ସଂସ୍ଥାକୁ ଦିଆଯାଇଥିଲା। ସିଡିଏ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା। ହେଲେ ଏହାରି ଭିତରେ ୮ବର୍ଷ ବିତିଯାଇଥିଲେ ମଧ୍ୟ କାମ ଗୋଟିଏ ପାଦ ମଧ୍ୟ ଆଗେଇ ନଥିବା ଅଭିଯୋଗ ହୋଇଛି। ସେପଟେ ପ୍ଲାନ୍ଟି ପୁଣିଥରେ ରିଭାଇଜ୍ ହୋଇଥିବାରୁ କାମ ବିଳମ୍ବ ହେଉଥିବା ସିଡିଏ ଭିସି କହିଛନ୍ତି।