ଓଟିଟି ପ୍ଲାଟଫର୍ମରେ ‘ଦି ମାଉଣ୍ଟେନ୍ ହକି’ ରିଲିଜ୍

ସମ୍ବଲପୁର : ଓଟିଟି ପ୍ଲାଟଫର୍ମରେ ପ୍ରଥମ ଓଡିଆ ଡକ୍ୟୁମେଣ୍ଟାରୀ ରିଲିଜ୍ ହୋଇଛି । ଓଡ଼ିଶାରେ ହକି ଖେଳ ପ୍ରଶିକ୍ଷଣରେ ପ୍ରତିବନ୍ଧକ ଏବଂ ସଫଳତାକୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ‘ଦି ମାଉଣ୍ଟେନ୍ ହକି’ ହଟ୍‌ଷ୍ଟାରରେ ରିଲିଜ୍ ହୋଇଛି। ଆଦିବାସୀ ଝିଅମାନଙ୍କୁ ହକି ଟ୍ରେନିଂ ଦେଇ ଆସୁଥିବା ଜଣେ ପ୍ରଶିକ୍ଷକଙ୍କ ସଂଘର୍ଷ ଓ ସଫଳତା ଉପରେ ପର୍ଯ୍ୟବେସିତ ହୋ‍ଇଛି ଏହି ସିନେମା।

ହକି କଥା ଉଠିଲେ ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ ମାଟି କଥା ମନରେ ଆସେ। ଏହି ଜିଲ୍ଲାର ଆଖପାଖ ପଡୋଶୀ ଜିଲ୍ଲାରେ ବି ଘରେ ଘରେ ହକିର ବେଶ୍ ଚାହିଦା ରହିଛି। ଏଇ ମାଟିରୁ ବାହାରିଥିବା ଅନେକ ହକି ଖେଳାଳି ଦେଶ ତଥା ବାହାରେ ନାଁ କରିଛନ୍ତି। ଏପରିସ୍ଥଳେ ହକି ଖେଳର ସଂଘର୍ଷ ଓ ସଫଳାତାକୁ ନେଇ ଦର୍ଶକଙ୍କ ପାଇଁ ଆସିଛି ଏକ ଭିନ୍ନ ଚଳଚ୍ଚିତ୍ର ‘ଦି ମାଉଣ୍ଟେନ୍ ହକି’ (THE MOUNTAIN HOCKEY)। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ମହାପାତ୍ର ଏବଂ ଅବିନାଶ ପ୍ରଧାନ।

ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ରିଲିଜ ହୋଇଛି। ଓଡିଶାବାସୀଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବ ବୋଲି ଦେବାଶିଷ କହିଛନ୍ତି। ଶୁକ୍ରବାର ଏହି ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ଏହାକୁ ସମସ୍ତେ ଦେଖିବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ଆଦିବାସୀ ଅଞ୍ଚଳର ଅନେକ ହକି ଖେଳାଳିରେ ପାଖରେ ପ୍ରତିଭା ରହିଥିବାରୁ ସେ ସବୁକୁ ଏହି ଫିଲ୍ମ ଜରିଆରେ ବାହାରକୁ ଆଣିବାକୁ ଏକ ଚେଷ୍ଟା ବୋଲି କହିଛନ୍ତି ପୂର୍ବତନ ଜାତୀୟ ହକି ଖେଳାଳି ଜତିନ୍ଦ୍ର ଶର୍ମା।

ଭୁବନେଶ୍ୱରରେ ଗତ ୨୦୧୮ ମସିହାରେ ଅନୁଷ୍ଠିତ ହକି ୱାର୍ଲ୍ଡକପ୍‌କୁ ନେଇ ଏପରି ଏକ ସିନେମା ନିର୍ମାଣ ପାଇଁ ପରିକଳ୍ପନା କରିଥିଲେ ନିର୍ଦ୍ଦେଶକ। ସେଥିପାଇଁ ଏକ ବଳିଷ୍ଠ କାହାଣୀ ସନ୍ଧାନରେ ଥିବାବେଳେ ହକି ପ୍ରଶିକ୍ଷକ ରାଜେନ୍ଦ୍ର କୁଜୁରଙ୍କ ସଂପର୍କରେ ଜାଣିବାକୁ ପାଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବାମରା ଅଂଚଳରେ ଗଲା ୧୦ ବର୍ଷ ହେଲା ଆଦିବାସୀ ଝିଅଙ୍କୁ ହକି ଟ୍ରେନିଂ ଦେଇ ଆସୁଛନ୍ତି ରାଜେନ୍ଦ୍ର।

ଜଙ୍ଗଲ ଭିତରେ ଆମଲିଖମନ ଗାଁରେ ପ୍ରତିକୂଳ ପରିସ୍ଥିତିରେ ଚାଲିଥାଏ ହକି ପ୍ରଶିକ୍ଷଣ। ଆର୍ଥିକ ସମ୍ବଳର ଅଭାବ, କ୍ରୀଡା ଉପକରଣ ଭଳି ସମସ୍ୟା ଭିତରେ ଏଠାରୁ ପ୍ରଶିକ୍ଷିତ ଝିଅମାନେ, ପ୍ରତିଷ୍ଠିତ ହୋଇପାରିଛନ୍ତି। ଏହିଠାରେ ହିଁ ଫିଲ୍ମଟି ସୁଟିଂ କରାଯାଇଛି। ତେବେ ଏଠାରେ ପ୍ରଶିକ୍ଷଣ ନେଉଥିବା ସମସ୍ତ ଝିଅମାନେ ଆଗ୍ରହର ସହିତ ହକିରେ ଭାଗ ନେଉଥିବା କୁହନ୍ତି ହକି ପ୍ରଶିକ୍ଷକ ରାଜେନ୍ଦ୍ର କୁଜୁର୍। ଏହି ପିଲାମାନେ ବଡ ପ୍ଲାଟ୍‌ଫର୍ମରେ ମଧ୍ୟ ହକି ଖେଳିବା ନେଇ ଆଗ୍ରହ ଦେଖାଉଥିବା ରାଜେନ୍ଦ୍ର କହିବା ସହ ଏହି ଫିଲ୍ମ ଦ୍ୱାରା ଅନେକ ସୁବିଧା ମିଳିପାରିବ ବୋଲି ସେ ଆଶା ପୋଷଣ କରନ୍ତି।

You might also like