ବିଲେଇକୁ ମାଡ଼ ମାରି କୁକୁର ଆଗକୁ ଫିଙ୍ଗିଥିବା ବ୍ୟକ୍ତି ଗିରଫ

ଭୁବନେଶ୍ୱର: ପ୍ରଶାନ୍ତି ବିହାର ଅଞ୍ଚଳରେ କୁକୁର ଆଗକୁ ବିଲେଇ ଛୁଆକୁ ଫିଙ୍ଗି ମାରିବା ମାମଲାରେ ଅଭିଯୁକ୍ତ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରଶାନ୍ତି ବିହାର ଅଞ୍ଚଳର ପ୍ରହଲ୍ଲାଦ ବେହେରା । ଭାଇରାଲ ଭିଡିଓ ଆଧାରରେ ଇନଫୋସିଟି ଥାନା ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗତ ୧୬ ତାରିଖରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା ।

ପ୍ରହଲ୍ଲାଦ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବିଲେଇ ଛୁଆ ଗୁଡ଼ିକ ପଶି ଆସିଥିଲେ । ଏହା ପରେ ବ୍ୟକ୍ତି ଜଣକ ବିଲେଇ ଛୁଆ ଗୁଡିକୁ ଅମାନବୀୟ ଭଳି ମାଡ଼ ମାରିବା ସହ ବାହାରକୁ ଆଣି ବୁଲା କୁକୁରଙ୍କ ସାମନାକୁ ଧରି ଫିଙ୍ଗି ଦେଇଥିଲେ । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ତିନି ତିନିଟି ବିଲେଇ ଛୁଆଙ୍କୁ କୁକୁର ମୁହଁକୁ ଫିଙ୍ଗି ଦେଇଥିଲେ ପ୍ରହଲ୍ଲାଦ ।

ଫଳରେ ୨ଟି ବୁଲା କୁକୁର ବିଲେଇ ଛୁଆଙ୍କୁ ଆକ୍ରମଣ କରିଥିଲେ । ସେଥିରୁ ୨ଟି ବିଲେଇ ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ବିଲେଇ ଛୁଆ ଗୁରୁତର ହୋଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣାକୁ ନେଇ ଇନଫୋସିଟି ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଦେଖିଥିଲା । ସେହି ସିସିଟିଭି ଫୁଟେଜକୁ ଆଧାର କରି ପ୍ରହଲ୍ଲାଦଙ୍କ ଗିରଫ କରାଯାଇଛି ।

ତେବେ ବିଲେଇଗୁଡ଼ିକୁ କୁକୁର ଆଗକୁ ଫିଙ୍ଗା ଯାଇଥିବାର ଭିଡିଓ ସୋସିଆଲ ମିଡିଆରେ ଢ଼େର ଭାଇରାଲ ହୋଇଛି । ଭିଡିଓକୁ ଦେଖି ଭ୍ୟୁୟର୍ସମାନେ ଏହାକୁ ଅମାନବିକତାର ପରିଚୟ ବୋଲି କହିଛନ୍ତି । ଭିଡିଓକୁ ନେଇ ଉକ୍ତ ନୃସଂସ ବ୍ୟକ୍ତିକୁ ଢ଼େର ସମାଲୋଚନା ମଧ୍ୟ କରାଯାଇଛି ।

You might also like