ଗିରଫ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ : ଅରୁଣ ବୋଥ୍ରା

ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ:  ନୟାଗଡ଼ ପରୀ ହତ୍ୟା ମାମଲାରେ ଖୋଳତାଡ ପାଇଁ ଯଦୁପୁରରେ ପହଞ୍ଚିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।  ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଇ ବୋଥ୍ରା କହିଛନ୍ତି ଯେ, ଆମେ ଯାହାକୁ ଗିରଫ କରିଛୁ ସେ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ।

ଦୁଷ୍କର୍ମ ଉଦ୍ୟମରୁ ହିଁ ହତ୍ୟା ଘଟିଛି। ଏସଆଇଟି ଗିରଫ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ବୋଥ୍ରା କହିଛନ୍ତି । ଏହାସହ ଏହି ଘଟଣାରେ ତାକୁ କିଏ ସାହାଯ୍ୟ କରିଛି କି ନାହିଁ ତାହା  ତଦନ୍ତ ହେବ।

ଅଭିଯୁକ୍ତକୁ ନୟାଗଡ଼ ଜିଲ୍ଲା ହସ୍ପିଟାଲ ନିଆଯାଇ ସେଠାରେ ତାର ସ୍ୱାସ୍ଥ୍ୟର ଯାଞ୍ଚ କରାଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାକୁ ଯଦୁପୁର ନିଆଯାଇଛି। ପୂର୍ବରୁ ସକାଳେ SITର ୨ ଜଣ ଅଧିକାରୀ ଯଦୁପୁରରେ ପହଞ୍ଚି ସରୋଜ ସେଠୀଙ୍କ ମାଆଙ୍କୁ ପଚରାଉଚରା କରିଥିଲା।

ପରୀର ମୃତଦେହ ଯେଉଁଠି ପଡ଼ିଥିଲା, ତା ପାଖରେ ଥିବା ପୋଖରୀକୁ ଶୁଖାଯିବାକୁ ନେଇ ଯୋଜନା କରାଯାଇଛି। କାଳେ ପରୀର ଅଂଶ ବିଶେଷ ପୋଖରୀରେ ପଡ଼ିଥିବ, ସେଥିଲାଗି ପୋଲିସ ପକ୍ଷରୁ ପୋଖରୀ ଶୁଖାଇବା ଯୋଜନା ଚାଲିଛି।

ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି। ଗତକାଲି ପରୀର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା SIT କହିଥିଲା। କିନ୍ତୁ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିନଥିଲା। ଅଭିଯୁକ୍ତକୁ ନେଇ ପରୀର ଗାଁ ଯଦୁପୁରରେ ଆଜି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ମଧ୍ୟ ଆଜି ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରାଯାଇପାରେ।

ପରୀ ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଚୋରି, ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାର ପ୍ରତିବାଦ କରିଛି କଂଗ୍ରେସ। ଆଜି ରାଜ୍ୟର ସମସ୍ତ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗତକାଲି ଭୁବନେଶ୍ୱରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା । କଂଗ୍ରେସ ଭବନରୁ ଏହି ମଶାଲ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ୍ ଦେଇ ପୁଣି କଂଗ୍ରେସ ଭବନରେ ପହଞ୍ଚିଥିଲା ।

କେବଳ କଂଗ୍ରେସ ନୁହେଁ ବିଜେପି ମଧ୍ୟ ପରୀକୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା କରିଛି। ପରୀର ଗାଁ ନୟାଗଡ଼ ଯଦୁପୁର ଅଭିମୁଖେ ୫ ଦିନିଆ ପଦଯାତ୍ରା ଆରମ୍ଭ କରିଛି ବିଜେପି। ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାହାରିଛନ୍ତି ବିଜେପିର କର୍ମୀ ଓ ନେତା। ୫ ମାସ ଯାଏଁ ନୟାଗଡ଼ ପୋଲିସ୍ ତଦନ୍ତକୁ ଶିଥିଳ କରିଛି। ମନ୍ତ୍ରୀ ଅରୁଣ ସାହୁଙ୍କୁ ପୋଲିସ୍ ଓ ସରକାର ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି।

ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ବାହାରି ଯାଆଁଳାରେ ପହଞ୍ଚିଛି। ଆଜି ଯାଆଁଳାରୁ ସାରୁଅ, ଆସନ୍ତାକାଲି ସାରୁଅରୁ ପିଚୁକୁଳି ପର୍ଯ୍ୟନ୍ତ ପଦଯାତ୍ରା ହେବ। ଏହାପରେ ପିଚୁକୁଳିରୁ ଇଟାମାଟି ଦେଇ ଯଦୁପୁର ଯିବେ। ୨୪ ତାରିଖରେ ଯଦୁପୁରରେ ଏକ ବଡ ସଭା ହେବାର କାର୍ଯ୍ୟକ୍ରମ ରହିଛି।

You might also like