ଏ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ୱର: ଖଣ୍ଡଗିରି ମେଳାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗିରହିଥିଲା ସେଥିରେ ଅନ୍ତ ଘଟିଛି। ଏ ବର୍ଷ ଖଣ୍ଡଗିରି ମେଳା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। କେବଳ ପରମ୍ପରା ପାଳନ ନେଇ ବିଏମ୍‌ସି ନିଷ୍ପତ୍ତି ନେଇଛି। କୋଭିଡ୍ ଗାଇଡ୍ ଲାଇନ୍ ମୁତାବକ ପରମ୍ପରା ପାଳନ ହେବ। କୌଣସି ଯାତ୍ରା ପେଣ୍ଡାଲ ବା ମେଳା ପାଇଁ ଷ୍ଟଲ ପଡ଼ିବନାହିଁ। ମେଳା ସଂପର୍କରେ BMC ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।

ଚଳିତ ବର୍ଷ ଖଣ୍ଡଗିରି ମେଳାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ନିର୍ଦ୍ଧାରିତ ସ୍ଥାନରେ ଖଣ୍ଡଗିରି ମେଳା ହେବ କି ନାହିଁ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲା। ମେଳାରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ସେହି ସ୍ଥାନରେ କୋଭିଡ୍ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ।

ଗତକାଲି ବିଏମ୍‌ସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ ଯେ ”କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଆମେ କୌଣସି ପରିସ୍ଥିତିରେ ଉଲ୍ଲଂଘନ କରିପାରିବୁ ନାହିଁ। ଗାଇଡ୍‌ଲାଇନ୍‌ ସହ ଏହି ଉତ୍ସବ କରାଯାଇପାରିବ। ଖଣ୍ଡଗିରି ମେଳା ହେଉଥିବା ସ୍ଥାନରେ ଯାତ୍ରା ଆୟୋଜନ କରିବା ଅସମ୍ଭବ। ଏକଥା ଆୟୋଜକମାନେ ହିଁ କହୁଛନ୍ତି।”

ଯାତ୍ରା ହେଉଥିବା ସ୍ଥାନରେ ଜାତୀୟ ରାଜପଥ ର୍ନିମାଣ କାର୍ଯ୍ୟ ଚାଲିଛି। ତେଣୁ କୋଭିଡ୍ କଟକଣା ପାଳନ କରିବା ସମ୍ଭବ ହୋଇନପାରେ। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଭାବେ ଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଶେଷରେ ଖଣ୍ଡଗିରି ମେଳା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

You might also like