କରୋନା ମୃତ୍ୟୁରେ ଘାତକ ସାଜିଛି ଏପ୍ରିଲ୍, ପାର୍କ ହେଲା ମଶାଣି

ଭୁବନେଶ୍ଵର: ରାଜ୍ୟ ହେଉକି କି ଦେଶ, କରୋନା ମୃତ୍ୟୁରେ ଘାତକ ସାଜିଛି ଏପ୍ରିଲ୍। ଏଇ ମାସକ ଭିତରେ ଦେଶରେ ୪୦ ହଜାର ଉପରେ ଆକ୍ରାନ୍ତଙ୍କ ଜୀବନହାନୀ ଘଟିଥିବାବେଳେ ଓଡ଼ିଶାରେ ଗଡିଲାଣି ୧୦୮ ମୁଣ୍ଡ। ଗତ ୧୫ ତାରିଖରୁ ମୃତ୍ୟୁର ଗ୍ରାଫ୍ ଉପରମୁହାଁ ହୋଇ ଚାଲିଛି। ଆଜି ରାଜ୍ୟରେ ସର୍ବାଧିକ ୧୨ଜଣଙ୍କ ମୃତ୍ୟୁ ଘଟିଛି। ତେଣେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ କହୁଛି, ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍। ସେପଟେ ମହାମାରୀର ତାଣ୍ଡବ ସ୍ଥିତିରେ ଶ୍ମଶାନ ଘାଟରେ ଅହରହ ଜଳୁଛି ଜୁଇ।

ମଶାଣି ନିଆଁକୁ ବିଶ୍ରାମ ନାହିଁ କି ରାତି କି ଦିନ ଶବ ସତ୍କାରରୁ ନିସ୍ତାର ନାହିଁ। ଦିଲ୍ଲୀ ଗାଜିପୁର ଶ୍ମଶାନଘାଟରେ ଜଳୁଥିବା ଜୁଇ ତ ଗଣି ହେଉନି, ସେପଟେ ଶବ ବୁହା ଗାଡ଼ିକୁ ବି ଫୁରୁସତ୍ ନାହିଁ। ଧାଡ଼ି ଧାଡ଼ି ଆମ୍ବୁଲାନ୍ସରେ ଲଦାଲଦି ଶବକୁ ଦେଖିଲେ ଛାତି ଭୟରେ ଥରି ଉଠୁଛି। ସ୍ଥିତି ଏଭଳି, ଶବ ପୋଡ଼ିବାକୁ ମଶାଣିର ଅଭାବ ପଡ଼ିଲାଣି। ସେଥିପାଇଁ ପାର୍କ ଓ ଅବ୍ୟବହୃତ ସ୍ଥାନରେ ରାତାରାତି ନୂଆ ଶ୍ମଶାନ ନିର୍ମାଣ ଚାଲିଛି। କହିବାକୁ ଗଲେ ଚଳିତ ଏପ୍ରିଲ ସାଜିଛି ପ୍ରାଣଘାତୀ। ତଥ୍ୟ କହୁଛି ସାରା ଦେଶରେ କୋଭିଡ୍ କହର ଆରମ୍ଭରୁ ଏଯାଏଁ ମୋଟ୍ ୨ଲକ୍ଷ ୪ହଜାର ୮୩୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କେବଳ ଏପ୍ରିଲରେ ପ୍ରାଣ ହରାଇଲେଣି ୪୦ ହଜାର ଉପରେ, ଯାହାକି ମୋଟ୍ ମୃତ୍ୟୁ ସଂଖ୍ୟାର ୨୦ ପ୍ରତିଶତ।

ମହାମାରୀ ମୃତ୍ୟୁର ଜୋରଦାର ତାଣ୍ଡବ ଚାଲିଛି ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଓ ତାମିଲନାଡୁରେ। ଗତ ୨୪ ଘଣ୍ଟାରେ ଦେଶରେ ୩୬୪୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୦୩୫, ଦିଲ୍ଲୀରେ ୩୬୮, ଛତିଶଗଡ଼ରେ ୨୭୯ ଓ କର୍ଣ୍ଣାଟକରେ ୨୨୯ଜଣଙ୍କ ଜୀବନ ଯାଇଛି। ଯେଉଁ ଏପ୍ରିଲ ପହିଲାରେ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୫ଶହ ତଳେ ଥିଲା, ହଠାତ୍ ଗ୍ରାଫ୍ ଉପର ମୁହାଁ ହୋଇ ଏପ୍ରିଲ ୧୩ରେ ୧୦୨୬ ଓ ୨୦ ତାରିଖରେ ଦୁଇ ହଜାର ପାର୍ କରିଥିଲା।  ଆଉ ଏବେ ୪ହଜାର ମୁହାଁ ହୋଇଛି ଯାହାକି ଗଭୀର ଚିନ୍ତାର ବିଷୟ।

ଓଡ଼ିଶାରେ ବି କରୋନାର ଦ୍ୱିତୀୟ ଲହର କାଳରେ ମୃତ୍ୟୁରେ ରେକର୍ଡ କରୁଛି ଏପ୍ରିଲ୍। ମାସ ପୂରିବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ଏଇ ମାସରେ ଅଦ୍ୟାବଧି ୧୦୮ ମୁଣ୍ଡ ଗଡ଼ାଇ ସାରିଲାଣି ମହାମାରୀ। ତଥ୍ୟ ଅନୁସାରେ ମାସର ପ୍ରଥମ ୧୦ଦିନରେ ମାତ୍ର ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ୨୦ ତାରିଖ ଭିତରେ ୨୭ଜଣ ଓ ୨୧ତାରିଖରୁ ଆଜି ଭିତରେ ୭୬ଜଣଙ୍କ ଜୀବନ ଗଲାଣି।

ଗତ ୨୭ ଓ ୨୮ ତାରିଖରେ ୧୦ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଥିବାବେଳେ ଆଜି  ସର୍ବାଧିକ ୧୨ଜଣଙ୍କ ପ୍ରାଣ ଯାଇଛି। ସେହିପରି ଏହି ସମୟ ମଧ୍ୟରେ କୋରନାରେ ଆକ୍ରାନ୍ତ ଥାଇ ଅନ୍ୟ ରୋଗରେ ୫୩ଜଣଙ୍କ ଜୀବନ ଯାଇଛି। ତେଣେ ବଢୁଥିବା ପିଜିଟିଭ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟାକୁ ନେଇ ଡିଏମଇଟି କହିଛନ୍ତି ରାଜ୍ୟରେ ଏବେ ଫ୍ଲାଟିନିଙ୍ଗ କର୍ଭରେ ରହିଛି ସଂକ୍ରମଣ ସ୍ଥିତି।  ଅର୍ଥାତ୍ ସମାନ୍ତରାଳ ଅବସ୍ଥା। ସେପଟେ ସ୍ଵାସ୍ଥ୍ୟ ବିଭାଗ କହିଛି, ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍। କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁର ଗ୍ରାଫକୁ ଦେଖିଲେ ଦୁଇଟି ଡୋଜ୍ ଟୀକା ନେଇ ନଥିବା ତଥା କାମଧନ୍ଦା ଲାଗି ପ୍ରତିଦିନ ବାହାରକୁ ଯାଉଥିବା ଯୁବାବର୍ଗଙ୍କ ଯେ ଅଧିକ ବିପଦ ମୁହଁରେ ତାହା ବାରି ହେଉଛି।

ରିପୋର୍ଟ-ହରିହର ଚାନ୍ଦ

You might also like