ୱେଷ୍ଟେଜ ସାମଗ୍ରୀରେ ସଜାଇଛନ୍ତି ବଗିଚା, ଲୋକଙ୍କୁ କରୁଛି ଅଧିକ ଆକୃଷ୍ଟ

ରାୟଗଡ଼ା: ଓଡ଼ିଆରେ ଗୋଟିଏ କଥା ରହିଛି ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ । ଆଉ ଘରଣୀ ଯଦି ପ୍ରକୃତି ପ୍ରେମରେ ପଡ଼ନ୍ତି, ତେବେ ସେ ଘର ଆଉ ତା ଆଖ ପାଖ ପରିବେଶ ବି ସୁନ୍ଦର ସବୁଜ ବନାନୀ ହୋଇଉଠେ । ସେମିତି ଜଣେ ମହିଳା ନିଜ ଘରକୁ ସୁନ୍ଦର କରିବା ସହ ନିଜ ବଗିଚାକୁ ନୂଆ ରୂପ ଦେଇଛନ୍ତି ।

garden

ରାୟଗଡ଼ା ସହରର ମୀରାବାଇ ରଥ, ଅଦରକାରୀ ଓ ଅବ୍ୟବହୃତ ପ୍ଲାଷ୍ଟିକ ବୋତଲ, ଡବାକୁ ରଙ୍ଗ ଦେଇ ଫୁଲ ଦାନୀ ଭାବେ ପ୍ରସ୍ତୁତ କରିଛନ୍ତି । ଏହା ସାହାଯ୍ୟରେ ନିଜ ବଗିଚାକୁ ଖୁବ୍ ସୁନ୍ଦର ଭାବେ ସଜାଇ ଏକ ନୂଆ ଲୁକ୍ ଦେଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ଆଖ ପାଖ ଓ ସାହି ପଡ଼ୋଶୀ ମଧ୍ୟ ସ୍ୱାଗତ ଜଣାଇଛନ୍ତି । ପ୍ରଥମ ଲକଡାଉନ୍ ପରଠାରୁ ନିଜ ବଗିଚା ପାଇଁ ସେ ଅଧିକ ସମୟ ଦେବା ଆରମ୍ଭ କରିଥିଲେ । ଧିରେ ଧିରେ ବଗିଚାର ସମ୍ପୂର୍ଣ୍ଣ ଲୁକ୍ ଚେଞ୍ଜ କରିଦେଇଥିଲେ । ଆଗରୁ ଯେଉଁ ବଗିଚା ଲୋକକୁ ସେତେଟା ଆକୃଷ୍ଟ କରିପାରୁନଥିଲା । ଏବେ ସେହି ବଗିଚାକୁ ଲୋକେ ଦେଖିବାକୁ ଆସୁଛନ୍ତି ।

ତେବେ ମୀରାବାଇଙ୍କ ବିଷୟରେ କହିବାକୁ ଗଲେ ସେ ସରକାରୀ କାର୍ଯ୍ୟାଳୟରେ ଚାକିରି କରନ୍ତି । ତାଙ୍କ ସ୍ୱାମୀ ରାଜୁ ମାହାପାତ୍ର ଜଣେ ବ୍ୟବସାୟୀ । ଉଭୟ ସ୍ୱାମୀ-ସ୍ତ୍ରୀ ଏକାଠି ସମୟ ବାହାର କରି ତଥା ଲକଡାଉନର ସଦୁପଯୋଗ କରି ନିଜ ବଗିଚାକୁ ଏବେ ନୂଆ ରୂପ ଦେଇଛନ୍ତି । ଅଦରକାରୀ ପାଣି ବୋତଲ, ଆଇସକ୍ରିମ ଡବାକୁ ରଙ୍ଗ ଦେଇ ସୁନ୍ଦର ସୁନ୍ଦର ଫୁଲକୁଣ୍ଡ ପ୍ରସ୍ତୁତ କରିଛନ୍ତି । ଆଉ ସେଥିରେ ବିଭିନ୍ନ ରଙ୍ଗ ବେରଙ୍ଗ ଓ ରକମ ରକମର ଗଛ ଲଗାଇଛନ୍ତି ।

garden

ରୋଷେଇ ଘରୁ ବାହାରୁଥିବା ପରିବା ଚୋପା, ଚାହାଗୁଣ୍ଡକୁ ଏମାନେ ଏହି ବଗିଚାରେ ଖତ ଭାବେ ବ୍ୟବହାର କରନ୍ତି । ଅଫିସ୍ ଓ ଘର କାମରୁ ଫୁରସତ ମିଳିଲା ମାତ୍ରେ ଉଭୟ ମୀରା ଓ ରାଜୁ ଲାଗିପଡ଼ନ୍ତି ବଗିଚା କାମରେ । ମୀରାଙ୍କ ପାଖ ପଡ଼ୋଶୀ ମଧ୍ୟ ବଗିଚାକୁ ଏତେ ମାତ୍ରାରେ ପସନ୍ଦ କରନ୍ତି ଯେ, ସେମାନେ ମଧ୍ୟ ବେଳେ ବେଳେ ମୀରାଙ୍କୁ ସମୟ ଦେଇ ବଗିଚା କାମରେ ସହଯୋଗ କରିଥାନ୍ତି । ମୀରଙ୍କ କହିବାନୁଯାୟୀ ଏହି ବଗିଚା କାମ କରି ସେ ଏକ ଅପୂର୍ବ ଆନନ୍ଦ ପାଇଥାନ୍ତି । ଆଉ ସବୁଠୁ ବଡ଼ କଥା ହେଲା ଲକଡାଉନରେ ଖାଲି ଘରେ ବସି ସେ ସମୟକୁ ନଷ୍ଟ କରି ନାହାନ୍ତି ।

You might also like