ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର, ଅଭିଯୋଗ ପରେ ଯୁବକ ଗିରଫ

ଆଳି(ବନମାଳୀ ସାହୁ) :  ମେଡ଼ିକାଲ ବେଡ଼ରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ ନକଲି ଡାକ୍ତର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରୁ। ଅଭିଯୋଗ ଅନୁସାରେ ଅରଗଳ ଗାଁର ମହିଳା ଡାଇରିଆରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ହେଲେ ଗତକାଲି ରାତି ୧୧ଟା ବେଳେ ଜଣେ ଯୁବକ ନିଜକୁ ଗୋବିନ୍ଦପୁର ମେଡିକାଲର ଡାକ୍ତର ବୋଲି ପରିଚୟ ଦେଇ ମହିଳାଙ୍କୁ ରୋଗ ସମ୍ପର୍କରେ ପଚାରିଥିଲେ।

ଡାଇରିଆ ହୋଇଥିବା ଜାଣିବା ପରେ ତାଙ୍କ ନିକଟରେ ଥିବା ଆଟେଣ୍ଡାଣ୍ଟଙ୍କୁ ବାହାକୁ ଯିବାକୁ କହି ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଭୟରେ ମହିଳା ଜଣକ ଚିତ୍କାର କରିଥିିଲେ । ମହିଳାଙ୍କ ଚିତ୍କାର ଶୁଣି ନିକଟରେ ଥିବା ମହିଳାଙ୍କ ସ୍ୱାମୀ ୱାଡ଼ ଭିତରକୁ ପଶିଆସିଥିଲେ । ହେଲେ କୌଶଳ କ୍ରମେ ନକଲି ଡାକ୍ତର ଜଣଙ୍କ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରାର ମାରିଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ଆଳି ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ଆଳି ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରର ସିସିଟିଭି ଯାଞ୍ଚ କରିଥିଲା । ସିସିଟିଭି ଯାଞ୍ଚ ପରେ ନକଲି ଡାକ୍ତର ଜଣକ ବଡଆମ୍ବିଳା ଗାଁର ଦୀପକ ମାହାନ୍ତି ବୋଲି ଜଣାପଡ଼ିଛି । ଏବେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ବ୍ୟବସ୍ଥା ଥିବା ସ୍ୱତ୍ୱେ ନକଲି ଡାକ୍ତର ଜଣଙ୍କ ମହିଳାଙ୍କ ସହ କିଭଳି ଏପରି କାଣ୍ଡ ଭିଆଇଲ, ତାହା ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି ।

You might also like