ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ମୂଳ ରହସ୍ୟ କଣ ?

ଡିଜିପିଙ୍କ ସତ୍ୟପାଠରେ ପୋଲିସଙ୍କୁ କ୍ଲିନଚିଟକୁ ନେଇ ଉଠିଲା ଅନେକ ପ୍ରଶ୍ନ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ମୂଳ ରହସ୍ୟ କଣ ? ଗତ ଦୁଇଦିନ ତଳେ ଓଟିଭିର ୨ କର୍ମଚାରୀ ଓ ୨ ସୁରକ୍ଷାକର୍ମୀଙ୍କୁ ଗିରଫ ପରଠୁ ଏଭଳି ଏକାଧିକ ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ତଦନ୍ତର ଗତିକୁ ନେଇ ବି ନା ନା ପ୍ରଶ୍ନ ସାମ୍ନାକୁ ଆସିଛି। ଖାସ୍ କରି ଏ ମାମଲାରେ ଅଭିଯୁକ୍ତ ତିନି ପୋଲିସ୍ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନଅଣାଯିବା, ପୁଣି ଗତମାସରେ ଡିଜିପିଙ୍କ ସତ୍ୟପାଠରେ ଅଭିଯୁକ୍ତ ପୋଲିସ୍ କର୍ମଚାରୀଙ୍କୁ ଏକପ୍ରକାର କ୍ଲିନଚିଟ୍ ଦିଆଯିବା ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଛି। ଏହାପରେ ପ୍ରଶ୍ନ ଉଠୁଛି ପୋଲିସ୍ କର୍ମଚାରୀ ୟୁନିଫର୍ମରେ ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗକାରିଣୀ ମାଆ କଣ ମିଥ୍ୟା ଅଭିଯୋଗ ଆଣିଥିଲେ, ନା ନିଜ ବିଭାଗର ହୋଇଥିବାରୁ ତିନି ପୋଲିସ୍ କର୍ମଚାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଫନ୍ଦି କରାଯାଇଛି।ଏହାରି ଭିତରେ ଆଜି ହାଇକୋର୍ଟରେ ହାଜର ହୋଇ ପକ୍ଷ ରଖିଛନ୍ତି ଏଡିଜି କ୍ରାଇମବ୍ରାଞ୍ଚ।

ଜଟିଳ ପାଠରେ ଛନ୍ଦି ହେଉଛି ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। ମାମଲା ପଛର ସତ କଣ ? ପୀଡ଼ିତାଙ୍କ ମା ନା ପୋଲିସ କିଏ ସତ କହୁଛି ? କୌଣସି ଥଳକୂଳ ପାଇ ହେଉନି ଏହି ସମ୍ବେଦନଶୀଳ ମାମଲାରେ। ଡିସେମ୍ବର ୧୪ ତାରିଖ ଅଧରାତିରେ ଉଠାଇ ନେଇ ଓଟିଭିର ୨ କର୍ମଚାରୀ ଓ ୨ ସୁରକ୍ଷାକର୍ମୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଏହି ଘଟଣାକୁ ଆଜିକୁ ବିତିଗଲାଣି ୨ ଦିନ। ହେଲେ ପୀଡ଼ିତାଙ୍କ ମାଆ ଯେଉଁ ପୋଲିସ ଅଧିକାରୀ ସୁବାଷ ମିଶ୍ର ଓ ତାଙ୍କର ୨ ସହଯୋଗୀ ତାଙ୍କ ଝିଅଙ୍କୁ ଦୁଷ୍କର୍ମ କରିଥିବା କହିଥିଲେ, ସେମାନେ ଗଲେ କୁଆଡ଼େ ?

କାହିଁକି ସେହି ଦିଗରେ ବଢୁନି କ୍ରାଇମବ୍ରାଞ୍ଚର ତଦନ୍ତ ? ବାସ୍ତବରେ ଯଦି ଏହି ମାମଲାରେ ପୋଲିସ ଅଧିକାରୀ ସୁବାଷ ମିଶ୍ର ଓ ତାଙ୍କ ୨ ସହଯୋଗୀଙ୍କ ସଂପୃକ୍ତି ନାହିଁ, ତେବେ କଣ ମିଛ ଅଭିଯୋଗ ଆଣିଥିଲେ କି ପୀଡ଼ିତାଙ୍କ ମା ? ଏବେ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ଆଜି ହାଇକୋର୍ଟରେ ହାଜର ହୋଇ ପକ୍ଷ ରଖିଛନ୍ତି ନିଜେ ଏଡିଜି କ୍ରାଇମବ୍ରାଞ୍ଚ। ଭିଡିଓ କନ୍ଫରେନ୍ସିଂରେ ସେ ହାଜର ହୋଇ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଥିବାନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଆସନ୍ତା ଜାନୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ନିଜର ନାବାଳିକା ଝିଅକୁ ଦୁଷ୍କର୍ମ ନେଇ ଅନେକ ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସଂପୃକ୍ତ ମହିଳା ଜଣକ। ଆଉ ଅଭିଯୋଗ ଆଧାରରେ ତଦନ୍ତର ଗତି ବି ବଢ଼ିବାରେ ଲାଗିଛି। ଗତ ଅଗଷ୍ଟ ୩୦ ତାରିଖରେ ମାମଲା ରୁଜୁ ପରେ ତଦନ୍ତ ପରଠୁ ଉଭୟ ମହିଳା ଥାନା ଏବଂ କ୍ରାଇମବ୍ରାଞ୍ଚକୁ ସବୁବେଳେ ସବୁ ପରିସ୍ଥିତିରେ ସହଯୋଗ କରି ଆସିଛନ୍ତି ଓଟିଭି କର୍ମଚାରୀ। କିନ୍ତୁ ଦୁର୍ଷ୍କମର କେଉଁ ତଥ୍ୟ ପ୍ରମାଣ ଆଧାରରେ ଓଟିଭି କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ତାକୁ ନେଇ ପ୍ରଶ୍ନ ଉଠିଛି।

ଗତ ନଭେମ୍ବର ୧୮ ତାରିଖରେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ଡିଜିପି। ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ପୋଲିସ ଅଧିକାରୀ ସୁବାସ ମିଶ୍ରଙ୍କ ନାଁ ନେଇଥିଲେ ପୀଡ଼ିତା। କିନ୍ତୁ ସୁନ୍ଦରଗଡ଼ରେ ଡ୍ରିଲ୍ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ସୁବାସ ମିଶ୍ର। ଅଭିଯୋଗ ହୋଇଥିବା ଅବଧିରେ କୌଣସି ଛୁଟି ନେଇନାହାନ୍ତି କିମ୍ବା ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିନାହାଁନ୍ତି। ଏଠି ପୁଣି ପ୍ରଶ୍ନ, ତାହେଲେ ପୀଡ଼ିତା କିମ୍ବା ତାଙ୍କ ମାଆ ମିଛରେ ସୁବାସ ମିଶ୍ରଙ୍କ ନାଁ ନେଇଛନ୍ତି କି ? ଯଦି ହଁ, ତେବେ ଓଟିଭିର ୨ କର୍ମଚାରୀ ଓ ୨ ସୁରକ୍ଷାକର୍ମୀଙ୍କ ନାଁ ଅଭିଯୁକ୍ତ ତାଲିକାରେ ସାମିଲ କରିବା ପଛରେ ବି କୌଣସି ଅଭିସନ୍ଧି ନାହିଁ ତ ? ନା କୌଶଳକ୍ରମେ ଅଭିଯୁକ୍ତ ତିନି ପୋଲିସ ଅଧିକାରୀଙ୍କୁ ଘଣ୍ଟ ଘୋଡାଉଛି  କ୍ରାଇମବ୍ରାଞ୍ଚ ।  ତେବେ ଅପେକ୍ଷା, ଏହି ସମ୍ବେଦନଶୀଳ ଘଟଣା ପଛର ସତ କେବେ ପଦାକୁ ଆସୁଛି ଆଉ ଦୋଷୀ ଦଣ୍ଡ କେବେ ପାଉଛି

You might also like