ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା

ଭୁବନେଶ୍ୱର: ସରକାର ଓ ଶିକ୍ଷା ବିଭାଗ ଚାହୁଁଛି ନବମ ଶ୍ରେଣୀ ପିଲାମାନେ ପରୀକ୍ଷା ଦିଅନ୍ତୁ । ସଂକ୍ରମଣ ବଢ଼ୁଥିବାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଛି, ଆଗାମୀ ସ୍ଥିତିକୁ ଦେଖି ପରୀକ୍ଷା ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ଅଧା ସରିଯାଇଛି, ଅଳ୍ପ ବାକି ରହିଛି । ଯେତିକି ପାଠପଢ଼ା ହୋଇଛି, ସେତିକି ପରୀକ୍ଷା କରାଇବା ପାଇଁ ବିଭାଗର ଇଚ୍ଛା ରହିଛି । ଏବେ କରୋନାର ଦ୍ୱିତୀୟ ଲହରୀକୁ ଦେଖି  ୩୦ ତାରିଖ ପରେ ପରବର୍ତ୍ତୀ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।

ସେହିପରି ସିବିଏସଇ ପରୀକ୍ଷା ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ପରୀକ୍ଷା ପୂର୍ବରୁ କିମ୍ବା ଦେଉଥିବା ସମୟରେ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେଲେ, ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ଜରିଆରେ ମାର୍କ ଦେବାକୁ ସିବିଏସଇ ନିଷ୍ପତ୍ତି ନେଇଛି। ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନହୁଏ ସେଥିଲାଗି ଏହି ପଦକ୍ଷେପ ନିଆଯାଇଛି । ସ୍ଥିତି ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ।

ସେପଟେ EWS କୋଟା ୱେବସାଇଟରେ ଏଯାଏ କିଛି ଘରୋଇ ସ୍କୁଲ ପଞ୍ଜିକରଣ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।  ୪୦୦୦ ବେସରକାରୀ ସ୍କୁଲ ଥିବାବେଳେ ପାଖାପାଖି ୪୦୦ ସ୍କୁଲ ରେଜିଷ୍ଟ୍ରେସନ୍ କରିନାହାନ୍ତି । ତେଣୁ ଯେଉଁ ସ୍କୁଲ ଗୁଡ଼ିକ ରେଜିଷ୍ଟ୍ରେସନ୍ କରିନାହାନ୍ତି, କର୍ତ୍ତୃପକ୍ଷଙ୍କୁ ଶୀଘ୍ର ରେଜିଷ୍ଟ୍ରେସନ୍ କରାଇନେବାକୁ ଅନୁରୋଧ  କରିଛନ୍ତି । ସେଥିପାଇଁ ୨୩ ତାରିଖ ପର୍ଯ୍ୟନ୍ତ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି । ସେହିକ୍ରମରେ ଆର୍ଥିକ ଅନଗ୍ରସର ଵର୍ଗର ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ତାରିଖ ଏପ୍ରିଲ ୩୦ କୁ ବୃଦ୍ଧି କରାଯାଇଛି। ପିଲାଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୭ ତାରିଖ ନବମ ଓ ଏକାଦଶ କ୍ଲାସରେ ପାଠ ପଢ଼ା ବନ୍ଦ ରଖିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ କ୍ଲାସ୍ ବନ୍ଦ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଆସନ୍ତା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ନବମ ଓ ଏକାଦଶ କ୍ଲାସ ବନ୍ଦ କରାଯାଇଛି । ଏଥିସହ ହଷ୍ଟେଲ ଓ ଆବାସିକ ସ୍କୁଲରେ ପଢୁଥିବା ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଦଶମ ଓ ଦ୍ୱାଦଶ କ୍ଲାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ ।

 

You might also like