ପରୀ ଘଟଣାରେ ଗିରଫ ବ୍ୟକ୍ତିଙ୍କୁ ଆଜି ପକ୍ସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ପରୀ ମାମଲାରେ ଗିରଫଦାରି

ନୟାଗଡ: ପରୀ ମାମଲାରେ ଗିରଫଦାରି। ପରୀର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ତେବେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରାଯାଇନାହିଁ। ଆଜି ତାଙ୍କୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ। ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬-ଏ (ଦୁଷ୍କର୍ମ), ୩୭୬-ଏବି (୧୨ ବର୍ଷରୁ କମ୍ ବୟସ୍କ ନାବାଳିକା ସହ ଦୁଷ୍କର୍ମ), ୩୬୪ (ଅପହରଣ), ୩୦୨ (ହତ୍ୟା) ଓ ୨୦୧ (ପ୍ରମାଣ ନଷ୍ଟ) ସହ ପକ୍ସୋ ଆଇନର ଧାରା-୬ରେ ମାମଲା ରୁଜୁ ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ରିଲିଜ ଯୋଗେ ସୂଚନା ଦିଆଯାଇଛି।

ଜୁଲାଇ ୧୪ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ଅପହୃତ ହୋଇଯାଇଥିବା ବେଳେ, ୧୦ ଦିନ ପରେ ତାର କେଇ ଖଣ୍ଡ ହାଡ଼ ବାରିପଛପଟୁ ମିଳିଥିଲା … ସେପଟେ ପରୀର ପଡ଼ୋଶୀ ସରୋଜ ସେଠୀଙ୍କୁ ଦୁଇ ଦିନ ତଳେ ମାଆ ଓ ଭଉଣୀଙ୍କ ସହ ଗାଁରୁ ଉଠାଇ ନେଇଥିଲା ଏସଆଇଟି। ଦୀର୍ଘ ୧୨ ଘଣ୍ଟା ପରେ ତାଙ୍କ ମାଆ ଓ ଭଉଣୀକୁ ଛାଡ଼ି ଦେଇଥିଲେ ବି, ସରୋଜଙ୍କୁ ଏଯାଏଁ ଛଡ଼ାଯାଇନାହିଁ। ତେଣୁ ଗିରଫ ବ୍ୟକ୍ତି ଜଣକ ସରୋଜ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଭୁବନେଶ୍ୱରରେ ସରୋଜଙ୍କ ଲାଇ ଡିଟେକ୍ସନ ଟେଷ୍ଟ୍ କରାଯାଇଥିବା ଏବଂ ସେଥିରୁ କିଛି ବାହାରି ନାହିଁ ବୋଲି ଅଧିକାରୀମାନେ ତାଙ୍କୁ କହିଥିବା ସରୋଜଙ୍କ ମାଆ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପରୀର ମାଆ ଦାବି କରିଛନ୍ତି, ଯାହାକୁ ଧରୁଛନ୍ତି ଧରନ୍ତୁ, କିନ୍ତୁ ଏଥିରେ ଜଣେ ନୁହେଁ ୩-୪ ଜଣ ସମ୍ପୃକ୍ତ। କେବଳ ଜଣଙ୍କୁ ଧରିଦେଲେ ଚୁପ୍ ବସିବୁନି। ମାମଲାର ସିବିଆଇ ତଦନ୍ତ ଦାବି କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବି ସେ ଦାବି କରିଛନ୍ତି । ସେପଟେ ପ୍ରକୃତ ଦୋଷୀ ଧରାନପଡ଼ିଲେ  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି ଦେବାର ଚେତାବନୀ ଦେଇଛନ୍ତି ପରୀର ବାପା।

You might also like