ଓଡ଼ିଶାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର: ଜାଣନ୍ତୁ କେଉଁଠି?

  • ଓଡ଼ିଶାରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର
  • ବଜ୍ରବିପତ୍ତିରୁ ଧନଜୀବନ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ: ଆଇଏମ୍ଡି ଡିଜି
  • ଗତ ୧୦ବର୍ଷରେ ରାଜ୍ୟରେ ଗଲାଣି ୩ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ: ବାଲେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର। ଓଡ଼ିଶା ବଜ୍ରପାତ ପ୍ରବଣ ଅଞ୍ଚଳରେ ଆସୁଥିବାରୁ ଏବଂ ପ୍ରତିବର୍ଷ ବଜ୍ରପାତ ଘଟି ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଏଭଳି ଗବେଷଣା କେନ୍ଦ୍ର ଉପଯୋଗୀ ହେବ ବୋଲି କୁହାଯାଉଛି। ସେହିପରି ଏହି ଗବେଷଣା କେନ୍ଦ୍ର ଦ୍ୱାରା ଛତିଶଗଡ, ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ବି ଉପକୃତ ହେବେ।

ପ୍ରତିବର୍ଷ ଓଡ଼ିଶାରେ ବଜ୍ରାଘାତ ନେଉଛି ୩ଶହରୁ ୪ଶହ ଜୀବନ। ଆକାଶରୁ ଅଚାନକ ଖସୁଥିବା ବିଦ୍ୟୁତ ସ୍ରୋତରେ ଉଚ୍ଛନ୍ନ ହେଉଛି ଅନେକ ପରିବାର। କିଛି ବର୍ଷ ହେବ ଯାହା ଦେଖାଯାଉଛି ଏପ୍ରିଲରୁ ଜୁନ୍ ମାସରେ ମଧ୍ୟରେ ରାଜ୍ୟରେ ବଜ୍ରାଘାତ ବଢିବାରେ ଲାଗିଛି। ଖରା ଦିନେ କାଳବୈଶାଖୀ ବର୍ଷାପବନ ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ବେଳେ ବଜ୍ରପାତ ଏବେ ନୂଆ ବିପଦ ସୃଷ୍ଟି କରିଛି। ତେବେ ଏହି ପ୍ରାକୃତିକ ଦୁର୍ବିପାକ ସଂପର୍କରେ ଯଦି ଆଗୁଆ ସୂଚନା ଦିଆଯାଇପାରିବ। ତେବେ ଧନଜୀବନ ବିପନ୍ନ ହେବାରୁ ସୁରକ୍ଷିତ ରଖାଯାଇପାରିବ। ସେ ଦୃଷ୍ଟିରୁ ଓଡ଼ିଶାର ବାଲେଶ୍ୱରରେ ଦେଶରେ ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ।

ବଜ୍ରପାତ ପ୍ରବଣ ଅଞ୍ଚଳରେ ଆସୁଛି ଓଡ଼ିଶା। କିଛି ବର୍ଷ ହେବ ରାଜ୍ୟରେ ବଜ୍ରାଘାତଜନିତ ମୃତ୍ୟୁ ବଢି ବଢି ଚାଲିଛି। ୨୦୧୫ ଏପ୍ରିଲ ୧୮ ତାରିଖରେ ଖୋର୍ଦ୍ଧା ବାଉଁଶମୂଳ ଗାଁରେ ଘଟିଥିଲା ଅଘଟଣ। ଏବେ ବି ମନରେ ଭୟ ସୃଷ୍ଟି କରୁଛି କ୍ରିକେଟ ଖେଳୁଥିବା ବେଳେ ବଜ୍ରପାତ ହେବାରୁ ଏକା ଥରକେ ପ୍ରାଣ ହରାଇଥିଲେ ୭ ଜଣ ପିଲା। ଏଠାରେ ଲାଗିଥିବା ସ୍ମୃତିଫଳକ ସେଇ ହୃଦୟ ବିଦାରକ ଘଟଣା ଏବେବି ତାଜା କରୁଛି।

ଭାରତୀୟ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁୟାୟୀ, ଗତ ୧୦ ବର୍ଷରେ ରାଜ୍ୟରେ ୩ ହଜାରରୁ ଅଧିକ ଲୋକଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୭୪ ଜଣ ପ୍ରାଣ ହରାଇଥିବା ବେଳେ ଗଂଜାମ ଜିଲ୍ଲାରେ ବଜ୍ରାଘାତ ନେଇଛି ୨୪୩ ଜୀବନ।

ଗଲା କିଛି ବର୍ଷ ହେଲା ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବଜ୍ରପାତ ସଂପର୍କରେ ଆଗୁଆ ସୂଚନା ଦେବା ଆରମ୍ଭ କରିଛି। ତେବେ ବଜ୍ରପାତର ପ୍ରକାରଭେଦ ଓ କେଉଁ ପରିବେଶରେ ଏହାର ପ୍ରକୋପ କିଭଳି ରହିବ, ସେନେଇ ପୁଙ୍ଖାନୁପୁଙ୍ଖ ଗବେଷଣା ହେଲେ ପୂର୍ବାନୁମାନ ଅଧିକ ସଠିକ୍ ହେବା ସହ ଅନେକ ଲୋକଙ୍କୁ ବଜ୍ରାଘାତରୁ ବଞ୍ଚାଇ ହେବ।

ବାଲୁଗାଁରୁ ଶକ୍ତି ପ୍ରସାଦ ମହାପାତ୍ରଙ୍କ ସହ ନୂଆଦିଲ୍ଲୀର ଶିବାନନ୍ଦ ରାଉତଙ୍କ ରିପୋର୍ଟ 

You might also like