ଆସନ୍ତାକାଲିଠୁ ଦିଆଯିବ କରୋନା ଟିକା…ଜାଣନ୍ତୁ କିଏ କିଏ ନେବେ ଟିକା?
ସ୍ୱାସ୍ଥ୍ୟ ବିଭାଗ ଆଶା କରିଛି ସବୁ କିଛି ସୁରୁଖୁରୁରେ ହେବ
ଭୁବନେଶ୍ୱର: ମହାମାରୀ ବିରୋଧୀ ମହାକବଚ ପାଇଁ କାଲିଠୁ ଦେଶବ୍ୟାପୀ ମହାଅଭିଯାନର ପ୍ରଥମ ଦଫାରେ ରାଜ୍ୟର ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ। ତେଣୁ ରାଜ୍ୟର ସମସ୍ତ ୧୬୧ଟି କେନ୍ଦ୍ରରେ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ନେଇ ସୂଚନା ରହିଛି। ସ୍ୱାସ୍ଥ୍ୟ ବିଭାଗ ଆଶା କରିଛି ସବୁ କିଛି ସୁରୁଖୁରୁରେ ହେବ। ତେବେ ଗାଇଡ୍ଲାଇନ୍ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସ୍କ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥବା ମହିଳାଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଅପରପକ୍ଷେ ଟିକାକରଣ ସମୟରେ ଗଞ୍ଜାମ, ସୁନ୍ଦରଗଡ଼ ଓ କ୍ୟାପିଟାଲ୍ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀ ଫିଡବ୍ୟାକ ନେବାର କାର୍ଯ୍ୟକ୍ରମ ରହିଛି।
ଅଦୃଶ୍ୟ ଭୁତାଣୁ ବିରୋଧରେ ଅନ୍ତିମ ପର୍ଯ୍ୟାୟ ଯୁଦ୍ଧ ପାଇଁ ସମରସଜ୍ଜା
ଟିକା ପ୍ରସ୍ତୁତ…ଟିକାକରଣ କେନ୍ଦ୍ର ବି ପ୍ରସ୍ତୁତ…ପ୍ରତିଟି କେନ୍ଦ୍ରରେ ପୂରା ତୟାର ଭେକ୍ସିନେଟର
ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକାକରଣର ଶୁଭାରମ୍ଭ କରିବା ସହ ଓଡ଼ିଶାରେ ବି ଆରମ୍ଭ ହୋଇଯିବ ମହାମାରୀ ବିରୋଧରେ ମହା ଅଭିଯାନ। ପ୍ରଥମ ଦଫାରେ ରାଜ୍ୟରେ ଟିକା ନେବାକୁ ଥିବା ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ କାହାକୁ, କେଉଁଦିନ, କେତେବେଳେ ଏବଂ କେଉଁ କେନ୍ଦ୍ରରେ ଟିକା ଦିଆଯିବ ସେନେଇ ଅଧିକାଂଶଙ୍କ ମୋବାଇଲକୁ ମେସେଜ୍ ବି ଆସି ସାରିଛି। ଡ୍ରାଏନ ରନ୍ ବେଳେ ଆଶଙ୍କା ଦୂର ହୋଇଥିବାରୁ ଏବେ ଟିକା ନେବାକୁ ଉତ୍କଣ୍ଠାରେ ସମସ୍ତେ ଅପେକ୍ଷା କରିରହିଛନ୍ତି।
ଭୁବନେଶ୍ୱରର ମୋଟ୍ ୬ଟି ହସ୍ପିଟାଲ୍ ସହ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ଲାଇନ୍ ପଠାଯାଇଛି। ଏହି ଅନୁଯାୟୀ ୧୮ ବର୍ଷରୁ କମ୍ , ଗର୍ଭବତୀ ଓ ସ୍ତନ୍ୟପାନ କରାଉଥବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି। ଠିକ୍ ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ। କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇଁ ଟିକା ନେଇ ହେବ।
ସବୁ ଟିକାକରଣ କେନ୍ଦ୍ରରେ ୱେଟିଂ ରୁମ, ଭ୍ୟାକ୍ସିନ୍ ରୁମ୍ ଓ ଅବଜରଭେସନ୍ ରୁମର ବ୍ୟବସ୍ଥା ହୋଇଛି। ପ୍ରତି କେନ୍ଦ୍ରରେ ୫ ଜଣିଆ ଭ୍ୟାକ୍ସିନେସନ୍ ଟିମ୍ ପ୍ରସ୍ତୁତ ଅଛନ୍ତିା ତେବେ ଟିକାକରଣକୁ ନେଇ କୌଣସି ପ୍ରଶ୍ନ ବା ସହାୟତାର ଅାବଶ୍ୟକତା ଥିଲେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ କିମ୍ବା ୧୦୭୫ ନମ୍ବରରେ ଫୋନ୍ କରିବାକୁ କୁହଯାଇଛି ।
ଅଦୃଶ୍ୟ ଭୂତାଣୁ ବିରୋଧରେ ଅନ୍ତିମ ପର୍ଯ୍ୟାୟ ଯୁଦ୍ଧ ପାଇଁ ସମରସଜ୍ଜା: ଟିକା ପ୍ରସ୍ତୁତ, ଟିକା କରଣ କେନ୍ଦ୍ର ବି ପ୍ରସ୍ତୁତ….କାଲି ପୂର୍ବାହ୍ଣ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ @narendramodiଙ୍କ ଦ୍ୱାରା ଶୁଭାରମ୍ଭ ହେବ ମହାଅଭିଯାନ#CoronaVirus #COVID19 #India #Odisha pic.twitter.com/QwcHiAAzYT
— ଓଟିଭି (@otvkhabar) January 15, 2021