ରାସ୍ତା ଅବସ୍ଥା ଏମିତି ଯେ, ରୁଟ ବଦଳାଇ ଦେଲେଣି ଯାତ୍ରୀବାହୀ ବସ

ସମ୍ବଲପୁର-କଟକ ୫୫ ନଂ ଜାତୀୟ ରାଜପଥ ପାଲଟିଛି ଯାତ୍ରୀଙ୍କ ପାଇଁ ମରଣଯନ୍ତା

ସମ୍ବଲପୁର: ସମ୍ବଲପୁର-କଟକ ୫୫ ନଂ ଜାତୀୟ ରାଜପଥ ପାଲଟିଛି ଯାତ୍ରୀଙ୍କ ପାଇଁ ମରଣଯନ୍ତା। ରାସ୍ତାରେ ୪ ଲେନ୍ ବିଶିଷ୍ଟ ରାସ୍ତା କାମ ଚାଲୁଥିବା ବେଳେ ପୁରୁଣା ରାସ୍ତାକୁ ମରାମତି କରୁନି ଠିକା ସଂସ୍ଥା। ସେପଟେ ପୁରୁଣା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଦୁର୍ଘଟଣା ବଢୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏପରିକି ଅନେକ ଯାତ୍ରୀବାହୀ ବସ୍ ଏଇ ରାସ୍ତା ଦେଇ ନଯାଇ ରୁଟ୍ ବଦଳାଇଦେଲେଣି।

ରାସ୍ତାର ଅବସ୍ଥା ଏପରି ଯେ, ରାସ୍ତା ଭିତରେ ରାସ୍ତା ଖୋଜିବାକୁ ପଡୁଛି। ୨ ଚକିଆ ହେଉ କି ୪ ଚକିଆ ଗାଡ଼ି, ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। ସମ୍ବଲପୁରରୁ ରେଢାଖୋଲ ଦେଇ ଅନୁଗୁଳ, କଟକ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା କିଛି ଏମିତି ରହିଛି। ସଂପୂର୍ଣ୍ଣ ରାସ୍ତାଟି ଧୂଳିମୟ ଓ ଖାଲଖମାରେ ଭର୍ତ୍ତି ଥିବାବେଳେ ଯିବାଆସିବା କରିବାକୁ ନୟାନ୍ତ ହେବାକୁ ପଡୁଛି ଲୋକଙ୍କୁ। ଅବସ୍ଥା ଏମିତି ଯେ, ଯାତ୍ରୀବାହି ବସ୍ ଗୁଡିକ ଏଇବାଟେ ନଯାଇ ଅନ୍ୟ ରୁଟ୍ ରେ ଯିବାଆସିବା କରୁଛନ୍ତି। ଏପରିକି ଆମ୍ବୁଲାନ୍ସ ଗାଡି ବି ଯିବାକୁ କମ୍ ହଇରାଣ ହେଉନାହାନ୍ତି। ବାରମ୍ବାର ଅଭିଯୋଗ ପରେବି ମରାମତି କାମ ହେଉନଥିବା ଅଭିଯୋଗ କରିଛନ୍ତି ଲୋକେ।

୨୦୧୭ ମସିହାରେ ଏହି ଦୁଇ ଲେନ୍ ବିଶିଷ୍ଟ ରାସ୍ତାଟି ୪ ଲେନ୍ ପାଇଁ ସରକାରଙ୍କ ପକ୍ଷରୁ କାମ ଆରମ୍ଭ ହୋଇଥିଲା। ଏନେଇ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ବି ଦିଆଯାଇଛି। ମାତ୍ର ୪ ବର୍ଷ ହେଲା ସରିପାରୁନି ନୂଆ ରାସ୍ତାର ନିର୍ମାଣ କାମ। ଫଳରେ ପୁରୁଣା ରାସ୍ତା ଦିନକୁ ଦିନ ପାଲଟିବାରେ ଲାଗିଛି ମରଣଯନ୍ତା। ଆଗକୁ ରାସ୍ତା ମରାମତି ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ରେଢାଖୋଲ ନାଗରିକ ମଞ୍ଚ।  ସେପଟେ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରିଙ୍କୁ ଡକାଇ ଆଲୋଚନା କରାଯିବ ବୋଲି କହିଛନ୍ତି ବରଗଡ଼ ସାଂସଦ।

You might also like