ନିଜସ୍ୱ ଘର ଥାଇ ମଧ୍ୟ ଭଡା ଘରେ ଚାଲୁଛି ସମବାୟ ସମିତି କାର୍ଯ୍ୟାଳୟ
ସମବାୟ ବିଭାଗର ଅଜବ ନୀତି
ପୁରୀ: ସମବାୟ ବିଭାଗର ଅଜବ ନୀତି। ନିଜସ୍ୱ କାର୍ଯ୍ୟାଳୟ ଥାଇ ମଧ୍ୟ ୪ ବର୍ଷ ହେଲା ଭଡା ଘରେ ଚାଲୁଛି ସମବାୟ ସମିତି। ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର ଏବେ ଭୂତକୋଠିରେ ପରିଣତ ହେଲାଣି। ଜରାଜୀର୍ଣ୍ଣ ଅବସ୍ଥାରେ ସମବାୟ ସମିତି କାର୍ଯ୍ୟାଳୟ। ବାତ୍ୟା ଫନିରେ ଉଡ଼ିଯାଇଛି ଆଜବେଷ୍ଟ, ଦବିଗଲାଣି ଚଟାଣ। କେଉଁଠି କାନ୍ଥରେ ଉଠିଲାଣି ଗଛ ତ କେଉଁଠି ସଟରରେ ଲାଗିଲାଣି କଳଙ୍କି।
ପୁରୀ ଜିଲ୍ଲା ନିମାପଡା ବାମନାଳ ପଞ୍ଚାୟତ ସମବାୟ ସମିତି କାର୍ଯ୍ୟାଳୟ ଓ ଗୋଦାମ ଘରର ସ୍ଥିତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପାଇକସାହି ଠାରେ ଥିବା ବିଲ୍ଡିଂଟି ନିର୍ମାଣ ଦିନରୁ ହିଁ କୌଣସି କାମରେ ଲାଗି ନାହିଁ। ଉଦଘାଟନ ପୂର୍ବରୁ ଭୂତକୋଠିରେ ପରିଣତ ହୋଲାଣି। ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟାଳୟ। ୪ ବର୍ଷ ହେଲା ଏମିତି ପଡ଼ି ରହିଛି। ଅନ୍ୟପଟେ ୪ କିଲୋମିଟର ଦୂର ବାମନାଳଠାରେ ଏକ ଭଡ଼ା ଘରେ ଚାଲୁଛି କାର୍ଯ୍ୟାଳୟ। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ
ନିଜସ୍ୱ ବିଲ୍ଡିଂ ଥାଇ କାହା ସ୍ୱାର୍ଥରେ ଭଡ଼ା ଘରେ ଚାଲୁଛି ସମବାୟ ସମିତି କାର୍ଯ୍ୟାଳୟ? ଅଫିସ୍ ଦୂରରେ ଥିବାରୁ ଧାନ ନେବା ଆଣିବାରେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଚାଷୀ। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏ ସଂପର୍କରେ ଅନୁଧ୍ୟାନ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ସମବାୟ ବିଭାଗର ପ୍ରାଶାସନିକ ଅଧିକାରୀ।
ସ୍ଥାନୀୟ ଅଞ୍ଚଳର ୭ଟି ମଉଜାର ଏକ ହଜାରରୁ ଅଧିକ ଚାଷୀ ସମବାୟ ସମିତି ଉପରେ ର୍ନିଭରଶୀଳ। ନୂତନ ଗୋଦାମ ଘର କାମରେ ଆସୁନଥିବାରୁ ଏହାର ସୁଫଳ ପାଇ ପାରୁନାହାନ୍ତି ଚାଷୀ। ସମସ୍ୟାର ସମାଧାନ ନ ହେଲେ ଚାଷୀମାନେ ଆନ୍ଦୋଳନ ପାଇଁ ଦେଇଛନ୍ତି ଚେତାବନୀ।