କଥା ଦେଇ କଥା ରଖିଲେ ସେଦିନର ଦେବଦୂତ

ଢ଼େଙ୍କାନାଳ: ଯମ ମୁହଁରୁ ଟାଣି ନୂଆ ଜୀବନ ଦେଇଥିବା ଭାଇ ଶେଷରେ ଭେଟିଛନ୍ତି ତାଙ୍କର ଭଉଣୀକୁ। ବିବାହ ଉତ୍ସବରେ ଆସିବା ନେଇ ଭଉଣୀ ଦେଇଥିବା କଥାକୁ ସେ ପୂରଣ କରିଛନ୍ତି। ସେଦିନ ଜୀବନ ବଞ୍ଚାଇଥିବା ଭାଇକୁ ଦେଖି ଭଉଣୀର ଖୁସି କହିଲେ ନସରେ। ସମୟ କିପରି ଦୁଇ ଅପରିଚିତଙ୍କୁ ରକ୍ତ ସମ୍ପର୍କଠାରୁ ବି ଶ୍ରେଷ୍ଠ ସ୍ଥାନ ଦେଇପାରେ, ତାହା ଉଦାରହଣ ହେଉଛନ୍ତି ସୁବ୍ରତ ଓ ନିବେଦିତା।  ସେଦିନ ଟ୍ରେନ୍ ମୁହଁରୁ ନିବେଦିତାଙ୍କୁ ବଞ୍ଚାଇ ଥିବା ସୁବ୍ରତ, ଆଜି ଏମାନେ ଭାଇଭଉଣୀ।

ରମାଦେବୀ ଜୁନିୟର କଲେଜର ଆଇଟି ଅଧ୍ୟାପିକା ହେଉଛନ୍ତି ନିବେଦିତା ସାହୁ। ଘର ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡଳୀରେ। ନିର୍ବନ୍ଧ ଥିବାରୁ ତରତର ହୋଇ ସେ ଘରକୁ ଫେରିବା ପାଇଁ ଫେବୃୟାରୀ ୧୫ ତାରିଖରେ ଭୁବନେଶ୍ୱର ଷ୍ଟେସନରୁ ପୁରୀ-ସମ୍ବଲପୁର ଇଣ୍ଟରସିଟି ଧରିଥିଲେ। ମାତ୍ର ଅସାବଧାନତା ଯୋଗୁଁ ସେ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଥିଲେ।

ଏହି ସମୟରେ ପ୍ଲାଟ୍‌ଫର୍ମରେ ଉପସ୍ଥିତ ଥିବା ଆର୍‌ପିଏଫ୍‌ କନ୍‌ଷ୍ଟେବଳ ସୁବ୍ରତ ଦେବଦୂତ ପରି ତାଙ୍କୁ ସଙ୍ଗେ ସଙ୍ଗେ ଧରି ପକାଇଥିଲେ। କହିବାକୁ ଗଲେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ନିବେଦିତା। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏପରିକି ନିବେଦିତାଙ୍କ ଜୀବନ ବଞ୍ଚାଇଥିବା ସୁବ୍ରତଙ୍କ ପାଖକୁ ଛୋଟି ଆସିଥିଲା ଅଜସ୍ର ପ୍ରଶଂସା। ନିବେଦିତାଙ୍କ ବାପା ମାଆଙ୍କଠୁ ଆରମ୍ଭ କରି ବନ୍ଧୁ ପରିଜନ ସମସ୍ତେ ଏଥିପାଇଁ ମନେ ମନେ ଈଶ୍ୱରଙ୍କ ଚମତ୍କାରିତାକୁ ଝୁରିଥିଲେ।

ନୂଆ ଜୀବନ ପାଇବା ପରେ ନିବେଦିତା ନିଜର ବାହାଘରରେ ଯୋଗଦେବା ପାଇଁ ସୁବ୍ରତଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ନିମନ୍ତ୍ରଣ ରକ୍ଷା କରି ମାର୍ଚ୍ଚ ୧୧ ତାରିଖରେ ନିବେଦିତାଙ୍କ ବିବାହ ଉତ୍ସବରେ ଯୋଗଦେଇ ସୁନ୍ଦର ଦାମ୍ପତ୍ୟ ଜୀବନର କାମନା କରିଥିଲେ ସୁବ୍ରତ। ଆଉ ଖୁସିର ମୁହୂର୍ତ୍ତରେ ସାକ୍ଷୀ ସାଜିଥିବା ସୁବ୍ରତଙ୍କୁ ପାଖରେ ପାଇ ନିବେଦିତା ଭାବବିହ୍ୱଳ ହୋଇଯାଇଥିଲେ।

ନିବେଦିତାଙ୍କ ଦାଦା ଲଳିତ କୁମାର ସାହୁ କହିଛନ୍ତି-“ଆମ ଝିଅ ବାହାଘର ଉତ୍ସବରେ ସାମିଲ ହୋଇ ନୂଆ ସଂପର୍କ ଯୋଡ଼ିଛନ୍ତି ସୁବ୍ରତ। ଯାହାକୁ ଆମେ ସବୁବେଳେ ମନେ ରଖିବୁ।”

You might also like