‘ଆପୋଷ ବୁଝାମଣାରେ ସମାଧାନ ହେବ ସୀମା ବିବାଦ’
ଭୁବନେଶ୍ୱର: ବିଧାନସଭାରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏହି ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ଭିକ ବିବୃତି ରଖି କହିଛନ୍ତି ଯେ କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି। ଆପୋଷ ବୁଝାମଣା ମଧ୍ୟରେ ସୀମା ଚିହ୍ନଟ କରାଯିବ। ୨୧ଟି ଗାଁ ରେ ଏହି ସମସ୍ୟା ରହିଛି ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଜିଲ୍ଲାପାଳ ଓ ଆର ଡିସିଙ୍କ ତତ୍ୱବଧାନରେ ସୀମା ବିବାଦ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ମଧ୍ୟ କିଛି ସମସ୍ୟା ରହିଛି।ଏଠି ୯ଟି ଗାଁରେ ସମସ୍ୟା ରହିଛି। ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ହୋଇଥିବା ମନ୍ତ୍ରୀ କହିଛନ୍ତି।
କେବଳ କୋରାପୁଟ ଓ ପଶ୍ଚିମବଙ୍ଗ ନୁହେଁ, ଝାଡ଼ଖଣ୍ଡ ସହିତ ମଧ୍ୟ ଓଡ଼ିଶାର କିଛି ଜିଲ୍ଲାର ବିବାଦ ରହିଛି ବୋଲି ମନ୍ତ୍ରୀ ଗୃହରେ ବିବୃତି ରଖିଛନ୍ତି। ତେବେ ସମୟୋପଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ ଧରଣର ସମସ୍ୟା ଉପୁଜିନି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ସେପଟେ ସୀମା ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।