ଚାଷୀଙ୍କୁ ସଚେତନ କରିବାକୁ ବିଜେପିର ପ୍ରୟାସ

ଚାଷୀଙ୍କୁ ବୁଝାଇବ ବିଜେପି

ନୂଆଦିଲ୍ଲୀ:  ନୂଆ କୃଷି ଆଇନ ସଂପର୍କରେ ଚାଷୀଙ୍କୁ ସଚେତନ କରିବାକୁ ବିଜେପିର ପ୍ରୟାସ। ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ପାଇଁ କଟକ ଜିଲ୍ଲା ଆଠଗଡ଼ ମିନି ଷ୍ଟାଡିୟମରେ ବିଜେପି ପକ୍ଷରୁ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ସାଧାରଣ ସଂପାଦକ ପି. ସୁଗୁନାକର ରାଓ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଓ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ କଂଗ୍ରେସ ନୂଆ କୃଷି ଆଇନକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତୃବୃନ୍ଦ। ଏହି ଅବସରରେ ଆଠଗଡ଼ରେ ହୋଇଥିବା ସମବାୟ ଦୁର୍ନୀତି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶାସକ ଦଳର ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ନଜର ପକାନ୍ତୁ କେମିତି ସମବାୟ ସମିତିରେ ହୋଇଛି ଦୁର୍ନୀତି…. ଜମି ବୋଲି ତାଙ୍କର ଜମାରୁ ୫ ଗୁଣ୍ଠ, ହେଲେ ଏ ବୟସରେ ସେ ଜଣେ ପୋଖତ ଚାଷୀ। ଆଉ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୧୮ ମସିହାରେ କଟକ ଜିଲ୍ଲା ଗୁରୁଡିଝାଟିଆ ସେବା ସମୟବାୟ ସମିତିରୁ ଥର ଥର କରି କୃଷି ଋଣ ବାବଦରେ ଆସିଛି ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା। ଆଶ୍ଚର୍ଯ୍ୟର କଥା ଟଙ୍କା ଯେଉଁ ଯେଉଁ ଦିନ ଆସିଛି, ଠିକ୍ ତା ପରେ ପରେ ଚଟାପଟ୍ ପି.ଆର୍.ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି।

ଠିକ୍ ସେମିତି ଆଉ ଦୁଇ ଜଣ ହେଲେ, ସଂଜୟ କୁମାର ସାହୁ ଓ ପ୍ରଦୀପ୍ତ କୁମାର ରାଉତ। ଏମାନଙ୍କ ନାଁରେ ବି ଏଇଠୁ ଋଣ ବାବଦରେ ହଡପ୍ ହୋଇଛି ହଜାର ହଜାର ଟଙ୍କା। ଠକେଇର ତାଲିକା ଏତେ ଲମ୍ବା ଯେ, ବଖାଣିବାକୁ ବେଳ ନାହିଁ। କାହାକୁ ସାର ମିଳିବ ତ କାହାକୁ ଫସଲ ଋଣ ମିଳିବ କହି ଚେକ୍‌ରେ ଆଗୁଆ ଦସ୍ତଖତ ନିଆଯାଇଛି ଓ ସୁତୁରେ ସୁତୁରେ ଟଙ୍କା ହଡପ୍ ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ଆଗୁଆ ବ୍ୟାଙ୍କ ପାସ୍ ବୁକ୍ ନେଇଥିବା ସେବା ସମବାୟ ସମିତିର ବାବୁମାନେ ବି ବର୍ଷ ବର୍ଷ ଧରି ଧରାଛୁଆଁ ନଦେବାରୁ ହିତାଧିକାରୀଙ୍କ ସନ୍ଦେହ ହୋଇଥିଲା।

ପରେ ସେମାନେ ଆଠଗଡ଼ ସମବାୟ ବ୍ୟାଙ୍କରୁ ଡୁପ୍ଲିକେଟ୍ ପାସବୁକ୍ ଆଣି ନେଣଦେଣ ଦେଖି ତାଜୁବ୍ ହୋଇଛନ୍ତି। ଅଭିଯୋଗ ଆଣିଛନ୍ତି ସେମାନଙ୍କ ଟଙ୍କା ଯାହା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ସେ ପି.ଆର୍. ପରିଡ଼ା ନାମକ ବ୍ୟକ୍ତି ଗୁରୁଡିଝାଟିଆ ସୋସାଇଟି ପିଅନ। ଏ ପୁରା ଦୁର୍ନୀତିରେ ସମିତିର ସଂପାଦକ ବିଜୟ ଦାସ ଓ ଖୋଦ୍ ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ବୀରେନ୍ଦ୍ର ପ୍ରତାପ ସ୍ୱାଇଁ ବି ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ନ୍ୟାୟ ପାଇଁ ସେମାନେ ସମବାୟ ମନ୍ତ୍ରୀଙ୍କୁ ବହୁବାର ଭେଟିବାକୁ ଚାହିଁଛନ୍ତି ହେଲେ ତାଙ୍କ କଥା ସେ କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି। ତେଣୁ ଶେଷରେ ଆନ୍ଦୋଳନ ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ବୋଲି କହିଲେଣି ହିତାଧିକାରୀ।

କେବଳ ଏତିକି ନୁହେଁ ବରଂ ଅନେକ ଦୁର୍ନୀତିର ଅଭିଯୋଗ ହୋଇଛି କଟକ ସମବାୟ ସମିତିରେ।

You might also like