ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ
ପୌର ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ
ଭୁବନେଶ୍ୱର: ପୌର ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିକୁ ଘାରିଛି ଶ୍ରେୟ ରାଜନୀତି ଭୂତ। ଭୁବନେଶ୍ୱର ବିନ୍ଦୁ ସାଗର ପୁନରୁଦ୍ଧାରକୁ ଆଳ କରି ରାଜନୀତି ଏବେ ଜୋର ଧରିଛି। ଆଜି ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଶୁଭାରମ୍ଭ ଉତ୍ସବ ପାଲଟିଥିଲା ରାଜନୈତିକ କାର୍ଯ୍ୟକ୍ରମ। ସଭାସ୍ଥଳରେ ହିଁ କର୍ମୀ ହାତାହାତି ହୋଇଥିବା ବେଳେ ମଞ୍ଚ ଉପରେ ବି ଉଭୟ ଦଳ ପରସ୍ପରକୁ ବାକ୍ୟ ବାଣ ମାରିଥିଲେ ଯାହାକୁ ନେଇ ବେଶ ଚର୍ଚ୍ଚା ଜାରି ରହିଥିଲା।
ଏକାମ୍ରକ୍ଷେତ୍ରରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋହଲ୍ଲା ନାରାବାଜି ଧସ୍ତା ଧସ୍ତି ବି ହେଲେ। କେବଳ ଏତିକି ନୁହେଁ ବରଂ, ଠେଲା ପେଲା ସ୍ଥିତି ଏମିତି ହେଲା ଯେ କଥା ହାତା ହାତି ଯାଏ ପଳାଇ ଗଲା। ଆଜି ଏଭଳି ଉତ୍ତେଜନାମୂଳକ ଦୃଶ୍ୟ ଦେଖିବାକୁ ମିଳିଥିଲା ବିନ୍ଦୁସାଗର ସ୍ୱଚ୍ଛ ପ୍ରକଳ୍ପର ଶୁଭାରମ୍ଭ ଅବସରରେ। ଗୋଟିଏ ପଟେ ସଭା ସ୍ଥଳ ତଳେ କର୍ମୀ ନାରା ବାଜି ଦେଇ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଷ୍ଟେଜ୍ ଉପରେ ବି ଦୋଷ ଲଦାଲଦି ହୋଇଥିଲେ ନେତା।
ପୌର ନିର୍ବାଚନ ପୂର୍ବରୁ @bjd_odisha ଓ @BJP4Odisha କୁ ଘାରିଛି ଶ୍ରେୟ ରାଜନୀତି ଭୂତ। ଭୁବନେଶ୍ୱର ବିନ୍ଦୁ ସାଗର ପୁନରୁଦ୍ଧାରକୁ ଆଳ କରି ଜୋର ଧରିଛି ରାଜନୀତି #Odisha #Bhubaneswar #Politics pic.twitter.com/uOmOfP7vsH
— ଓଟିଭି (@otvkhabar) January 9, 2021
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଠାରେ ବିକାଶ ହୋଇନଥିବା ଆରୋପ ଲଗାଇଥିବା ବେଳେ ସ୍ଥାନୀୟ ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ବିକାଶର ଲମ୍ବା ତାଲିକା ଶୁଣାଇଥିଲେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ। କେବଳ ଏତିକି ନୁହେଁ ବରଂ କେନ୍ଦ୍ରୀୟ ଅନୁଷ୍ଠାନର ଅବହେଳା କଥା ମଧ୍ୟ ଉଠାଇଥିଲେ। ସେପଟେ ଅପରାଜିତା ୪ ମାସ ଭିତରେ କାମ ସାରିବାକୁ କହିଥିବାବେଳେ ଅଶୋକ ପଣ୍ଡା କାଉଣ୍ଟର କରି କହିଥିଲେ ୪ ସପ୍ତାହରେ ସରିବ। ତେବେ ସଭା ଶେଷ ଯାଏ ଉତ୍ତେଜନା ଲାଗି ରହିଥିଲା।
ବିନ୍ଦୁ ସାଗରର ହୃତ୍ ଗୌରବ ଫେରାଇବା ଲାଗି ଏହି ସ୍ୱଚ୍ଛ ପ୍ରକଳ୍ପକୁ ଉଦଘାଟନ କରାଯାଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି, ଇଣ୍ଡିଆନ୍ ଅଏଲ୍ କ୍ୟାମ୍ପସ ଏବଂ ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ୍ ମିଳିତ ଉଦ୍ୟମରେ କାମ ଆରମ୍ଭ ହେବ। ଏଥିଲାଗି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ CSR ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ। ଉତ୍ସବରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭାମଞ୍ଚରେ ଉପସ୍ଥିତ ଥିଲେ।
ବିନ୍ଦୁସାଗରର ପୁନରୁଦ୍ଧାର ଯୋଜନା କିଛି ନୂଆ କଥା ନୁହେଁ। କାରଣ ଏହାପୂର୍ବରୁ ୧୯୭୮ ଓ ୧୯୮୧ରେ ବିନ୍ଦୁସାଗରରୁ ପଙ୍କ ଉଦ୍ଧାର କରାଯାଇଥିଲେ ବି ସୁଫଳ ମିଳିନଥିଲା। ସେହିପରି ୨୦୦୭ରେ ବିଏମସି ଏଥିଲାଗି ଏକ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୩ରେ ନଗର ଉନ୍ନୟନ ବିଭାଗ ଏକ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ବରାଦ ମଧ୍ୟ କରିଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବିନ୍ଦୁ ସାଗର ନିର୍ମଳ ହୋଇପାରିନି। ଆଉ ଏବେ ହାତକୁ ନିଆଯାଇଥିବା ପ୍ରକଳ୍ପ ଦ୍ୱାରା କେତେ ସୁଫଳ ମିଳୁଛି ତାଉପରେ ନଜର ।