ଚିତ୍ରଶିଳ୍ପୀଙ୍କ ସ୍ପର୍ଶରେ ଜୀବନ୍ତ ହୋଇଉଠିଲା ନିର୍ଜୀବ କାନଭାସ: କରୋନା କାଳରେ କମାଳ ଦେଖାଇଲେ ଆଦିବାସୀ ଚିତ୍ରଶିଳ୍ପୀ 

ମନ୍ତ୍ରମୁଗ୍ଧ ହେଲେ ଦର୍ଶକ ଓ ଅତିଥି

ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଚିତ୍ର ନୁହେଁ ତ ସତେ ଯେମିତି ଆଙ୍କି ହୋଇପଡ଼ିଛି ପ୍ରକୃତିର ଶୋଭାରାଜି। ପରିବେଶକୁ ତୂଳୀରେ ବାନ୍ଧି ରଖିଛି କଳାକାର। କରୋନା ଯୋଗୁଁ ପ୍ରାୟ ବର୍ଷେ ହେଲା ବନ୍ଦ ଥିଲା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ। କଟକଣା କୋହଳ ହେଲା ପରେ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହେଉଛି। ଏପରି ସମୟରେ ବଲାଙ୍ଗିରରେ ଆୟୋଜିତ ହୋଇଛି ଆଦିବାସୀ ଚିତ୍ରଶିଳ୍ପୀ ଶିବିର। ଆଦିବାସୀ ପରମ୍ପରା ଓ ଚିତ୍ର ମାଧ୍ୟମରେ କଳାକୁ ଜୀବନ୍ତ କରିଛନ୍ତି କଳାକାର।  କଳାକୃତୀକୁ ଦେଖି କିଛି ସମୟ ପାଇଁ କଳା ରାଇଜରେ ହଜିଯାଇଥିଲେ ଦର୍ଶକ ଓ ଅତିଥି । ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ତିନି ଦିନିଆ ଶିବୀରରେ ଭାଗ ନେଇ କାନଭାସରେ କମାଳ ଦେଖାଇଥିଲେ ଆଦିବାସୀ ଚିତ୍ରଶିଳ୍ପୀ।

କଥା କହୁଛି କାନଭାସ, ପରିବେଶକୁ ତୂଳୀରେ ବାନ୍ଧି ରଖିଛି କଳାକାର

କଥା କହୁଛି କାନଭାସ। କେଉଁ ଚିତ୍ରରେ ଆଈ,ନାତୁଣିଙ୍କ ସ୍ନେହ ସଂପର୍କ ତ ପୁଣି କେଉଁଠି ଆଦିବାସୀଙ୍କ ପ୍ରଥା ଓ ପରମ୍ପରାର ଝଳକ। ବଲାଙ୍ଗିରରୁ ବାରିପଦା, ବିଭିନ୍ନ ଜିଲ୍ଳାର ଆଦିବାସୀଙ୍କ ସଂସ୍କୃତିର ଛାପ ଦେଖିବାକୁ କାନଭାସରେ। ଏ ବଲାଙ୍ଗିର ସାମ୍ବାଦିକ ଭବନ ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା  ଗତ ୧୭ ତାରିଖରୁ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା ଚିତ୍ରଶିଳ୍ପୀ। ଆଉ ଏହି ଶିବିରରେ ୧୫ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ।

ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ସବୁ ଗୁଡିକ ଜୀବନ୍ତ ଲାଗୁଥିଲା। ଶିବିରରେ ଭାଗ ନେଇଥିବା ୧୫ ଜଣ ଚିତ୍ରଶିଳ୍ପୀଙ୍କ ଭିତରେ ବଲାଙ୍ଗିର ଜିଲ୍ଳାରୁ ଭାଗ ନେଇଥିଲେ ସାତ ଜଣ । ସମସ୍ତ ଚିତ୍ରଶିଳ୍ପୀ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ, ସେମାନେ କାନଭାସରେ ଆଦିବାସୀ ପ୍ରଥା ପରମ୍ପରାର ଝଳକ ଦେଖିବାକୁ ମିଳିଥିଲା। ସବୁଠାରୁ ଗୁରୁତ୍ତ୍ୱ ପୂର୍ଣ୍ଣ କଥା ହେଲା ଶିବିରର ଅଧିକାଂଶ ଚିତ୍ରଶିଳ୍ପୀ କୌଣସି ଆର୍ଟ ସ୍କୁଲରେ ତାଲିମ ନେଇନାହାନ୍ଟ। ନିଜେ ନିଜେ ଅଭ୍ୟାସ କରି ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଚମତ୍କାର ଚିତ୍ର।

painting
ଆଦିବାସୀ ପ୍ରଥା ପରମ୍ପରାକୁ ଚିତ୍ର ମାଧ୍ୟମରେ ଜୀବନ୍ତ କରିବାରେ ବ୍ୟସ୍ତ କଳାକାର

ଓଡିଶାର ସରକାରଙ୍କ ସାହିତ୍ୟ ସଂସ୍କୃତି ବିଭାଗ ଏବଂ ଲଳିତ କଳା ଏକାଡେମୀ ଦ୍ୱାରା ବଲାଙ୍ଗିର ଆର୍ଟସ ରିସୋର୍ସ ସେଣ୍ଟରର ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏହି ତିନି ଦିନିଆ ଆଦିବାସୀ ଚିତ୍ରଶିଳ୍ପୀ ଶିବୀର। ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଳାପାଳ ଚଂଚଳ ରାଣା ଏବଂ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ବାସୁଦେବ ମେହେରା ଏବଂ ଓଡିଶା ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଜିଲ୍ଳାପାଳ ବୁଲି ବୁଲି ଗୋଟି ଗୋଟିଏ କରି ପ୍ରଦର୍ଶନୀର ସମସ୍ତ ଚିତ୍ରକୁ ଦେଖିବା ସହିତ ତା ବିଷୟରେ ଚିତ୍ରଶିଳ୍ପୀଙ୍କ ଠାରୁ ପଚାରି ବୁଝିଥିଲେ । ଆଦିବାସୀ ଚିତ୍ରଶିଳ୍ପୀଙ୍କ ଚମତ୍କାର କଳାକୃତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଜିଲ୍ଳାପାଳ । ଆଦିବାସୀ ଚିତ୍ରଶିଳ୍ପୀଙ୍କୁ ଆଗକୁ ଆଣିବା, ଆଦିବାସୀ ପ୍ରଥା ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ଭଳି ପ୍ରୟାସ ଜାରୀ ରହିବ ବୋଲି କହିଛନ୍ତି ଲଳିତ କଳା ଏକାଡେମୀର ସଚିବ ଏବଂ ବଲାଙ୍ଗିର ଜିଲ୍ଳାପାଳ ।

 

 

 

You might also like