ଆଣ୍ଟିଜେନ ରିପୋର୍ଟ ନେଗେଟିଭ୍, ତଥାପି ଡାକ୍ତର କହିଲେ କରୋନାରେ ହୋଇଛି ମୃତ୍ୟୁ

ଯାଜପୁର: ପୁଣି ସାମ୍ନାକୁ ଆସିଲା ଚିକିତ୍ସା ଅବହେଳାକୁ ନେଇ ମୃତ୍ୟୁ। ଯାଜପୁର ଧର୍ମଶାଳା ମେଡିକାଲରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିବା ବେଳେ ଡାକ୍ତରଖାନା ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ମୃତ ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ଥିଲେ। ତେଣୁ ତାଙ୍କର ମୃତ୍ୟୁ  ହୋଇଛି।

ମୃତକ ହେଉଛନ୍ତି ଜେନାପୁର ଅଂଚଳର ଗଣେଶ୍ୱର ବେହେରା। ଗଣେଶ୍ୱରଙ୍କୁ ଜ୍ୱର ହୋଇଥିବା ବେଳେ ଗତ ୨୦ ତାରିଖରେ ସେ ଆଣ୍ଟିଜେନ୍ ନିଜର ଟେଷ୍ଟ କରାଇଥିଲେ। ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ମଙ୍ଗଳବାର ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ନିଶ୍ୱାସ ନେବାରେ କଷ୍ଟ କରିଥିଲେ। ତେଣୁ ପରିବାର ଲୋକ ତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଗଣେଶ୍ୱର ବେହେରାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଚିକିତ୍ସାରେ ଅବହେଳା ଆଭିଯୋଗ କରି ମେଡିକାଲରେ ହୋ-ହଲ୍ଲା କରିଥିଲେ। ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା।

ତେବେ ମେଡିକାଲ କର୍ତ୍ତୁପକ୍ଷ କହିଛନ୍ତି, ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ପରେ ଗଣେଶ୍ୱରଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କୋଭିଡରେ ଆକ୍ରାନ୍ତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ। ଡାକ୍ତରଖାନା ପକ୍ଷରୁ ଆହୁରି କୁହାଯାଇଛି ଯେ, କୋଭିଡ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ। କୋଭିଡ ନିୟମ ମୁତାବକ କାର୍ଯ୍ୟ କରାଯିବ।

ଅନ୍ୟପଟେ ମୃତକଙ୍କ ପରିବାର ପକ୍ଷରୁ ମୃତଦେହ ହସ୍ତାନ୍ତର ପାଇଁ ଦାବି କରାଯାଇଛି। ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ହେବା ସହ ମୃତକଙ୍କ ଆରଟିପିସିଆର ଟେଷ୍ଟରେ ତଥ୍ୟ ଭୁଲ୍ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

You might also like