କ୍ରେନ୍ ସାହାଯ୍ୟରେ ଉଠିଲା ଏନ୍‌ଏଚରେ ଓଲଟି ପଡ଼ିଥିବା ଆମୋନିଆ ଭର୍ତ୍ତି ଟ୍ୟାଙ୍କର

ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ

ଗଂଜାମ: ଗଂଜାମ ଜିଲ୍ଲା ପୁଇଁତଳା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଥିବା ଗ୍ୟାସ୍ ଟ୍ୟାଙ୍କର ଉଠାଯାଇଛି। ୪ଟି କ୍ରେନ ଲଗାଯାଇ ସୁରକ୍ଷିତ ଭାବେ ଗ୍ୟାସ ଟ୍ୟାଙ୍କରକୁ ଉଠାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେଠାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଏହି ଟ୍ୟାଙ୍କରକୁ ଉଠାଇବା ଲାଗି ପାରାଦୀପରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା।  ଗତକାଲି ଗଂଜାମ ସହରରେ ଗ୍ରାସିମ ଇଣ୍ଡ୍ରଷ୍ଟ୍ରିଜ୍ ଏକ ଟିମ୍ ସ୍ଥିତି ପରଖିଥିଲେ। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉନଥିବା ବିଶେଷଜ୍ଞ ଟିମ କହିଛନ୍ତି।

ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱରରୁ ଏକ ଆମୋନିଆ ବୋଝେଇ ଟ୍ୟାଙ୍କର ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ତେବେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ୧୬ ନମ୍ବର ଜାତୀୟ ରାଜପଥର ପୁଇଁତଳା ଛକରେ ଟ୍ୟାଙ୍କର ଆଗ ଚକ ଫାଟି ଯାଇଥିଲା। ଫଳରେ ଗ୍ୟାସ୍‌ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। । ଦୁର୍ଘଟଣାରେ ଟ୍ୟାଙ୍କର ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଥିଲେ।

ତେବେ ଜାତୀୟ ରାଜପଥରେ ଟ୍ୟାଙ୍କର ଓଲଟି ପଡ଼ିଥିବା ଜାଣିପାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ଆମୋନିଆ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଥିବାରୁ  ବିଶେଷଜ୍ଞ ଟିମ୍‌ ଆଖପାଖ ଅଞ୍ଚଳର ଗାଁ ଲୋକଙ୍କୁ ସତର୍କ କରାଇଥିଲେ। ଅନ୍ୟପଟେ ଦୁର୍ଘଟଣା ପରେ କିଛି ସମୟ ପାଇଁ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା।

ଆହୁରି ପଢନ୍ତୁ: କମେଣ୍ଟ ମରାକୁ ପ୍ରତିବାଦ କରିବାରୁ କଲେଜ ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା

You might also like