ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ

ରାୟଗଡ଼ା: ଲଘୁଚାପ ଜନିତ ବର୍ଷାର ମୁକାବିଲା ଲାଗି ରାୟଗଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି। ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ପ୍ରଶାସନ ତତ୍ପର ରହିଛି। ଜିଲ୍ଲାର ସମସ୍ତ ବ୍ଲକ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ସ୍ଥିତିକୁ ଦେଖି ରାୟଗଡା ଜିଲ୍ଲାର ଭାମିନି ଓ ବିଷମକଟକ ଠାରେ ଦୁଇଟି ଓଡ୍ରାଫ ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ସ୍ଥଳେ ନଦୀକୁଳିଆ ଅଞ୍ଚଳ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ରହିଛି ପ୍ରଶାସନ।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତା ୩ ଦିନ ପାଇଁ ବିଭିନ୍ନ ସ୍ଥାନକୁ ଅରେଞ୍ଜ ଓ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବା ଆଶଙ୍କାରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ କରାଯାଇଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

You might also like