ପ୍ରବାସୀଙ୍କ କରୁଣ କାହାଣୀ: ମଙ୍ଗଳସୂତ୍ର ବିକି ସାଇକେଲ୍‌ରେ ଘରକୁ ଫେରିଲେ ଦମ୍ପତି

ବାସୁଦେବପୁର: ପ୍ରବାସୀ ଶ୍ରମିକଙ୍କ ଆଉ ଏକ ଦୁଃଖଭରା କାହାଣୀ ଏବେ ସାମ୍ନାକୁ ଆସିଛି। ଘରକୁ ଫେରିବାକୁ ପାଖରେ ଟଙ୍କା ନ ଥିବାରୁ ବାଧ୍ୟ ହୋଇ ସ୍ତ୍ରୀର ମଙ୍ଗଳସୂତ୍ର ବିକ୍ରି କରି ଘରକୁ ଫେରିବାକୁ ପଡ଼ିଛି ଜଣେ ପ୍ରବାସୀଙ୍କୁ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଲବଗା ଗାଁର ଚନ୍ଦନ ଜେନା ବେଙ୍ଗାଲୁରୁରେ ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିଲେ। ସେଠାରେ ସେ ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ। ଲକ୍‌ଡାଉନ୍‌ରେ କାମ ଚାଲିଯିବା ପରେ ସମସ୍ୟା ଆରମ୍ଭ ହୋଇଥିଲା। ଧୀରେ ଧୀରେ ପାଖରେ ଯାହାବି କିଛି ଟଙ୍କା ଥିଲା ତାହା ମଧ୍ୟ ସରି ଆସିଥିଲା। ଫଳରେ ସମସ୍ୟା ଆହୁରି ଦ୍ୱିଗୁଣିତ ହୋଇଯାଇଥିଲା। ଉଭୟ ପତି-ପତ୍ନୀ ଗାଁକୁ ଫେରିବା ପାଇଁ ଚାହୁଁଥିଲେ ମଧ୍ୟ ଫେରି ପାରୁନଥିଲେ। ଗାଁକୁ ଫେରିବା ପାଇଁ ପାଖରେ ଟଙ୍କା  ନ ଥିବାରୁ ଶେଷରେ ସ୍ତ୍ରୀର ମଙ୍ଗଳସୂତ୍ର ବିକ୍ରି କରି ସାଇକେଲ୍‌ କିଣିଥିଲେ ଚନ୍ଦନ।

ତେବେ ବେଙ୍ଗାଲୁରୁରୁ ଆସିବା ପାଇଁ ସେ ଅନେକ ଥର ହେଲ୍‌ପ୍‌ଲାଇନ୍‌ ନମ୍ବରରେ କଲ୍ କରି ପଞ୍ଜୀକରଣ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିବା ଚନ୍ଦନ ଅଭିଯୋଗ କରିଛନ୍ତି।

You might also like