ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

କାଲିଠୁ ମାଟ୍ରିକ୍ ପ୍ରିଟେଷ୍ଟ,ହେଲେ ଉପାନ୍ତ ଅଂଚଳରେ ଏଯାଏଁ ପହଞ୍ଚିନି ସରକାରୀ ବହି

ନବରଙ୍ଗପୁର : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ସ୍କୁଲ ଖୋଲିବାର ୬ ମାସ ପୂରିବାକୁ ବସିଲାଣି ,ହେଲେ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ହାଇସ୍କୁଲ ପିଲାଙ୍କ ପାଖରେ ଏଯାଏଁ ପାଠ୍ୟପୁସ୍ତକ ପହଞ୍ଚିନି । ଅବହେଳା ଏତେ, ଯେ କାଲିଠୁ ଦଶମ ଶ୍ରେଣୀ ପ୍ରିଟେଷ୍ଟ ପରୀକ୍ଷା ଅାରମ୍ଭ ହେଉଥିବା ବେଳେ ପିଲାଏ ବହି ନପଢ଼ି କେମିତି ପରୀକ୍ଷା ଦେବେ। ସେଥିପ୍ରତି ଯେମିତି ଟିକେ ବି ନିଘାନାହିଁ ସରକାରଙ୍କର।

ଏଯାଏଁ ନବରଙ୍ଗପୁର ଜିଲ୍ଲାରେ ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚିନି। ନବମ ଶ୍ରେଣୀ ପିଲାଙ୍କର ବି ସମାନ ସମସ୍ୟା । ଫଳରେ କେମିତି ପଢ଼ିବେ ଅାଉ କେମିତି ପରୀକ୍ଷାରେ ବସିବେ ସେଇ ଚିନ୍ତାରେ ଛାତ୍ରଛାତ୍ରୀ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଅାଯାଉଥିବା ବେଳେ ନବମ ଓ ୧୦ମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ବହି ଯୋଗାଇ ଦିଅାଯାଉଛି। ହେଲେ ନବରଙ୍ଗପୁର, କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଏଯାଏଁ ଅଧିକାଂଶ ହାଇସ୍କୁଲକୁ ବହି ପହଞ୍ଚିନି। କେବଳ ଅନୁସୂଚିତ ଜାତି ଓ ଜନଜାତି ନୁହେଁ, ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଖରେ ଚଳିତବର୍ଷର ପାଠ୍ୟପୁସ୍ତକ ନାହିଁ।  କ୍ଲାସ୍‌ରେ ପୁରୁଣା ଖଣ୍ଡେ ଦିଖଣ୍ଡ ବହିରେ କାମଚଳା ପାଠପଢ଼ା ଚାଲିଛି। ତେବେ ମନ୍ତ୍ରୀ କହିଛନ୍ତି ସବୁଠି ବହି ପହଞ୍ଚିଛି। ଯେଉଁଠି ଅବହେଳା ହୋଇଥିବ କାର୍ଯ୍ୟାନୁଷ୍ଠାନ ନିଅାଯିବ।

ଗୋଟିଏ ପଟେ ମାସାଧିକ କାଳ ଧରି ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକଙ୍କ ଅାନ୍ଦୋଳନ ଯୋଗୁଁ ସ୍କୁଲରେ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ଅାଉ ଏପଟେ ପାଠ୍ୟପୁସ୍ତକ ଯୋଗାଣରେ ଗୁରୁତର ଅବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ସରକାରଙ୍କ ଚରମ ଉଦାସୀନତାକୁ ସାମ୍ନାକୁ ଅାଣିଛି।

You might also like