କରୋନା କେଳେଙ୍କାରୀ ପାର୍ଟ-୨: ଟେଷ୍ଟିଂ କିଟ୍ କିଣାରେ ବି ଘୋଟାଲାର ଗନ୍ଧ

ଭୁବନେଶ୍ୱର: ତିନିଟି ସଂସ୍ଥାଠୁ ୩ ପ୍ରକାର ଦରରେ କିଣା ହୋଇଛି କରୋନା ଟେଷ୍ଟ କିଟ୍। ତାହା ପୁଣି କୋଟି କୋଟି ଟଙ୍କାର ଫରକ୍। ରାଜ୍ୟ ଔଷଧ ନିଗମର ପର୍ଚେଜ୍ ଅର୍ଡରରୁ ମାସ୍କ ଓ ପିପିଇ କିଟ୍‌ କିଣାରେ ବଡ଼ ଧରଣର ହେରଫେର ସାମ୍ନାକୁ ଆସିବା ପରେ ଏବେ ଟେଷ୍ଟ କିଟ୍ ଏବଂ ରିୟଲ ଟାଇମ୍ ପିସିଆର୍ ମେସିନ୍ କିଣାରେ ବି ଅନୁରୂପ ଘୋଟାଲାର ଆଭାସ ମିଳିଛି। ପଢ଼ନ୍ତୁ ଆମ ତଦନ୍ତକାରୀ ରିପୋର୍ଟ ‘କରୋନା କେଳେଙ୍କାରୀ ପାର୍ଟ-୨’

ମାସ୍କ ଓ ପିପିଇ ଭଳି ଟେଷ୍ଟିଂ କିଟ୍ କିଣାରେ ବି ଘୋଟାଲାର ଗନ୍ଧ ଲାଗିବା ପରେ ପୁଣି ସନ୍ଦେହ ବଳୟରେ ରାଜ୍ୟ ଔଷଧ ନିଗମର ଭୂମିକା। କରୋନା ମହାବିପତ୍ତି ବେଳେ କୋଟି କୋଟିର ଖେଳ ! ଏକା ସାମଗ୍ରୀ ପାଇଁ ତିନିଟି ଅର୍ଡର, ତା ପୁଣି ତିନି ପ୍ରକାରର ଦରରେ।

ଅର୍ଡର ନମ୍ବର  ER19611। ଟେଷ୍ଟିଂ କିଟ୍ କିଣିବାକୁ ରାଜ୍ୟ ଔଷଧ ନିଗମ ପକ୍ଷରୁ ଗତ ଏପ୍ରିଲ୍ ୨୧ ତାରିଖରେ କୋଲ୍‌କାତା ଫାର୍ମକୁ ଦିଆଯାଇଥିଲା ଏ ପର୍ଜେଜ୍ ଅର୍ଡର। କିଟ୍ ପିଛା ଦର ଥିଲା ୧୩୨୧ ଟଙ୍କା ମୋଟ୍ ୨ ଲକ୍ଷ କିଟ୍ ପାଇଁ ଧାର୍ଯ୍ୟ ହୋଇଥିଲା ୨୬ କୋଟି ୪୩ ଲକ୍ଷ ୨୦ ହଜାର ଟଙ୍କା।

ପୁଣି ଅର୍ଡର ନମ୍ବର ER19656ରେ ଆର୍‌ଏମ୍ଆର୍‌ସିକୁ କରୋନା ଟେଷ୍ଟ କିଟ୍ ଯୋଗାଣ ପାଇଁ ବରାତ ଥିଲା। ମେ ୭ ତାରିଖର ଅର୍ଡର କିଟ୍ ପିଛା ୧୧୨୫ଟଙ୍କା, ସମୁଦାୟ ୪୫ ହଜାର ଟେଷ୍ଟ କିଟ୍ ପାଇଁ ଭୁବନେଶ୍ୱରର ଏକ କମ୍ପାନୀକୁ ଦିଆଯାଇଥିଲା ମୋଟ୍ ୫କୋଟି ୬୭ ଲକ୍ଷ ଟଙ୍କାର ଅର୍ଡର।

ହେଲେ ଏହାର ଠିକ୍ ୪ ଦିନ ପରେ ଅର୍ଥାତ୍ ମେ ୧୧ରେ ଦିଆଯାଇଥିଲା ତୃତୀୟ ପର୍ଜେଜ୍ ଅର୍ଡର।

ଏହି ତୃତୀୟ ପର୍ଯ୍ୟାୟ ଅର୍ଡର ନମ୍ବର ER19675ରେ ୪୯୨୦ କିଟ୍ ଯୋଗାଇବାକୁ ଭୁବନେଶ୍ୱରର ଏକ ସଂସ୍ଥାକୁ ଦିଆଯାଇଥିଲା ମୋଟ୍ ୪୮ ଲକ୍ଷ ୨୧ ହଜାର ୬୦୦ଟଙ୍କାର ଅର୍ଡର। ଏହି ଅର୍ଡର୍‌ରେ କିଟ୍ ପିଛା ଦର ମାତ୍ର ୯୮୦ ଟଙ୍କା ଥିଲା।

ହେଲେ ଏକ ପ୍ରକାର ସାମଗ୍ରୀ ପାଇଁ ସରକାରୀ କଳର ଏଭଳି ତିନି ତିନିଟି ମୂଲ୍ୟ ନିର୍ଦ୍ଧାରଣରେ ବଡ଼ ଧରଣର ଦୁର୍ନୀତିର ଅଭିଯୋଗ ଆଣି ଘେରିଛନ୍ତି ବିରୋଧୀ।

ବିପଦ ସମୟରେ ଯେଉଁମାନେ ଲାଭ କରିବାକୁ ଚେଷ୍ଟା କରିବା ଏକ ହିନମନ୍ୟତା ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ରିଅଲ ଟାଇମ୍ ପିସିଆର୍ ମେସିନ୍ କିଣାରେ ବି ଗଡ଼ବଡ଼ିର ଅଭିଯୋଗ ଆଣିଛି କଂଗ୍ରେସ। ଦଳ କହିଛି ବଜାରରେ ୩ ଲକ୍ଷରୁ ୪ ଲକ୍ଷ ଭିତରେ ଉପଲବ୍ଧ ଥିବା ବେଳେ ଏଇ ମେସିନ୍‌କୁ ୩ରୁ ୪ଗୁଣା ଅଧିକ ଦରରେ ଅର୍ଥାତ୍ ୧୨ ଲକ୍ଷ ୯୪ ହଜାର ଟଙ୍କାରେ ଶହେଟି ମେସିନ୍‌କୁ ୧୨ କୋଟି ୯୪ ଲକ୍ଷ ଟଙ୍କାରେ କିଣିଛନ୍ତି।

ହେଲେ ଟେଷ୍ଟ କିଟ୍‌ର ତିନି ପ୍ରକାର ଦର ସଂପର୍କରେ ସଫେଇରେ ନିଗମ କହିଛି ଯେ ସେ ସମୟର ଆବଶ୍ୟକତାକୁ ଦୃଷ୍ଟି ରଖି ଏହା କିଣାଯାଇଛି। ସେହିପରି ରିୟଲ ଟାଇମ୍ ପିସିଆର୍ ମେସିନ୍ କିଣିବା ନିଷ୍ପତ୍ତି କମିଟିର ଥିଲା। ଏବଂ ଯେହେତୁ ଏହା ପ୍ରୋପ୍ରାଇଟର ପ୍ରଡକ୍ଟ ତେଣୁ ଅଧିକ ରେଟ୍ ପଡିଲା ବୋଲି ନିଗମ କହିବା ସହ ଏବେ ସୁଦ୍ଧା ରାଜ୍ୟରେ ୪ କୋଟି ୬୦ ଲକ୍ଷ ମାସ୍କ ଓ ୨୨ ଲକ୍ଷ ୮୦ ହଜାର ପିପିଇ କିଟ୍ କିଣାଯାଇଛି ବୋଲି ସୂଚନା ଦିଆଯାଇଛି।

 

You might also like