ହାଟ ବଜାର ଏବେ ଖାଁ ଖାଁ ହେଲେ ଦର ଆକାଶ ଛୁଆଁ

ଭୁବନେଶ୍ୱର: ବାତ୍ୟା ଫୋନି ପରଠୁ ରାଜଧାନୀର ହାଟ ବଜାରରେ ଅଭାବନୀୟ ପରିସ୍ଥିତି। ନା ଆବଶ୍ୟକ ପରିମାଣର ସାମଗ୍ରୀ ମହଜୁଦ୍ ଅଛି, ନା ମିଳୁଛି ସୁଲଭ ଦରରେ ଡାଲି, ଚାଉଳ। କ୍ୟାଣ୍ଡେଲ୍‌ଟଇଏ ପାଇବା ବି ମୁସ୍କିଲ୍ ହେଉଛି ରାଜଧାନୀ ବଜାରରେ।  ଯେଉଁ ଦୋକାନକୁ ଗଲେ ବି ଷ୍ଟକ୍ ନାହିଁ କହି ସିଧାସଳଖ ମନା କରିଦେଉଛନ୍ତି ବ୍ୟବସାୟୀ । ପରିବା ଦର ତ ଆକାଶଛୁଆଁ ହୋଇଛି। ତାହା ବି ପର୍ଯ୍ୟାପ୍ତ ପରିମାଣର ମିଳୁନି।

ରାଜଧାନୀ ଭୁବନେଶ୍ୱରର ବ୍ୟବସାୟିକ ପେଣ୍ଠସ୍ଥଳୀ ୧ ନମ୍ବର ମାର୍କେଟ୍ । ପ୍ରତିଦିନ ଚଳଚଞ୍ଚଳ ଥିବା ଏହି ହାଟ କିନ୍ତୁ ବାତ୍ୟା ପରଠୁ ଖାଁ ଖାଁ ହୋଇଯାଇଛି । ଆଜିକୁ ୬ଦିନ ବିତିଲାଣି ପ୍ରାୟ ଗ୍ରାହକ ଆସୁନାହାଁନ୍ତି କି ବ୍ୟବସାୟୀଙ୍କ ସେତେଟା ଦର୍ଶନ ମିଳୁନି । ତାସହିତ ବିଜୁଳି ନ ଥିବାରୁ କେବଳ ଦିନବେଳା ହିଁ ଅଧିକାଂଶ ଦୋକାନ ଖୋଲା ରହୁଛି । ତେଣୁ ସତେଯେମିତି ଶ୍ରୀହୀନ ହୋଇପଡ଼ିଛି ମାର୍କେଟ୍ । ଡାଲି ହେଉ କି ଚାଉଳ, ତେଲ ହେଉ କି ଲୁଣ ଅଥବା ଅନ୍ୟ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ। ଯାହା କିଛି ପରିବା ଦୋକାନ ଖୋଲା ଅଛି, ଦର ଅଧିକ ହେଲେ ବି ପରିବା କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ।

ଫୋନି ଆସିବା ଦିନଠୁ ଅର୍ଥାତ୍ ଗତ ଶୁକ୍ରବାରଠାରୁ ବଜାରରେ ହୋଇଥିଲା ଅହେତୁକ ଦରବୃଦ୍ଧି। କେଉଁଠି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଚାଲିଲା କଳାବଜାରୀ ତ ଆଉ କେଉଁଠି ଖାଲି ହୋଇଗଲା ଷ୍ଟକ୍। ଫୋନି ଦ୍ୱାରା ହାଟବଜାର ଛିନ୍‌ଛତ୍ର ହୋଇଯିବା ଏବଂ ସହରରେ ଅଚଳାବସ୍ଥା ଲାଗି ରହିଥିବାରୁ ବାହାର ରାଜ୍ୟରୁ କୌଣସି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆସିପାରିଲାନି । ଯାହା କିଛି ଆସୁଛି, ତାହା ଯଥେଷ୍ଟ ହେଉନାହିଁ । ସେପଟେ ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି କହିଛି ଓଡ଼ିଶା ବ୍ୟବସାୟୀ ସଂଘ।

You might also like