ଅର୍ଥ ନୁହେଁ, ଆତ୍ମସନ୍ତୋଷ ପାଇଁ ବଞ୍ଚାଇ ରଖିଛନ୍ତି ନିଜର କୌଳିକ ବୃତ୍ତି

ବାଲେଶ୍ୱର: ଘରଯାକ ହସ୍ତଶିଳ୍ପ କଳାକୃତିରେ ଭରପୂର। ପୌରାଣିକ ହେଉ କି ସାମାଜିକ, ପ୍ରାଚୀନ ହେଉ କି ଆଧୁନିକ ଟେରାକୋଟା କାମରେ ସୁସଜ୍ଜିତ ବାଲେଶ୍ୱର ବଟେଶ୍ୱର ଛକରେ ଦୋକାନ। ଏହାର ପ୍ରତିଷ୍ଠାତା ହେଉଛନ୍ତି ଶିଳ୍ପୀ ଅଲେଖ କୁମାର ସାହୁ। ଦିନକୁ ଦିନ କୁମ୍ଭାରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇନେଉଥିବାରୁ ଏହି କଳାକୁ ବଞ୍ଚାଇ ରଖିବାକୁ ତାଙ୍କର ଏହି ପ୍ରୟାସ। ନିଜ ଘରେ ଏସବୁ ତିଆରି ବିକ୍ରି କରୁଛନ୍ତି। ବେଶ ଦୁଇ ପଇସା ରୋଜଗାର ହେଉଛି ଏବଂ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ଆତ୍ମସନ୍ତୋଷ ବି ମିଳୁଥିବା କହିଛନ୍ତି ଅଲେଖ। କ୍ଷୁଦ୍ର ଆକୃତିର ପ୍ରତିକୃତି କରୁଥିବାରୁ ଦାମ ମଧ୍ୟ ଗ୍ରାହକଙ୍କୁ ବେଶ ସୁହାଇଲା ଭଳି ରଖିଛନ୍ତି। ତେଣୁ ଗ୍ରାହକମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇପାରିଛି ଏସବୁ କଳାକୃତି।

କୁମ୍ଭାରମାନେ ନିଜର କୌଳିକ ବୃତ୍ତି ଭୁଲି ସାରିଲେଣି। ମୁଁ ଏହି କଳାକୃତି ଉପରେ ପାଠ ପଢିଲି। ଟେରାକୋଟାରେ କିପରି ସୁନ୍ଦର ସୁନ୍ଦର କାର୍ଯ୍ୟ ହୋଇପାରିବ, ଏନେଇ ଭୁବନେଶ୍ୱର ଓ ଅହମ୍ମଦବାଦରେ ଟ୍ରେନିଂ ନେଲି।  
-ଅଲେଖ କୁମାର ସାହୁ, ଶିଳ୍ପୀ

ଏବେ ପାରମ୍ପରିକ କଳାକୃତି, ପୁରୁଣା ସଂସ୍କୃତି ଧିରେ ଧିରେ ହଜିଯାଉଛି। ସେସବୁକୁ ବଞ୍ଚାଇ ରଖିବା ପାଇଁ ଅଲେଖ ଭାଇ ଟେରାକୋଟାରେ ବହୁତ ସୁନ୍ଦର ଭାବେ ତିଆରି କରୁଛନ୍ତି।  
-ମାନସୀ ଦାସ, ଗ୍ରାହକ

ତାଙ୍କର ଏହି ପ୍ରୟାସ କେବଳ ବେପାର କରି ଅର୍ଥ ଉପାର୍ଜନରେ ସୀମିତ ନାହିଁ। ପ୍ରତିଦିନ ଶିଳ୍ପୀମାନଙ୍କୁ ଏହି କଳା ସମ୍ପର୍କରେ ପ୍ରଶିକ୍ଷଣ ଦେଇ ପରବର୍ତ୍ତୀ ପିଢି ମଧ୍ୟରେ ଏହି କଳାକୁ ଲୋକପ୍ରିୟ କରାଇବାର ଅଭିଯାନ ଚଳାଇଛନ୍ତି ଅଲେଖ। ସେଥିପାଇଁ ଏହି କଳା ଶିଖିବାପାଇଁ ଅଲେଖଙ୍କ ଏହି କର୍ମଶାଳାରେ ପିଲାମାନଙ୍କ ଭିଡ ଲାଗେ।  ତାଙ୍କର ଏହି କାମରେ ପରିବାର ମଧ୍ୟ ଭରପୂର ସହଯୋଗ କରନ୍ତି।

ରିପୋର୍ଟ: ରଞ୍ଜିତ ପାକଳ

You might also like