ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ଚାପା ଉତ୍ତେଜନା
କଟକ: କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି। ଗତକାଲି ସାଲେପୁର ବିଜେପି ନଗର ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ।
#ଦୁଇ_ବିଜେପି_ନେତାଙ୍କୁ_ହତ୍ୟା
ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା। ରାଜନୈତିକା ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା ଅଭିଯୋଗ #Cuttack #Mahanga #Bjp #Odisha@BJP4Odisha @odisha_police pic.twitter.com/CJU8ysjL93— ଓଟିଭି (@otvkhabar) January 3, 2021
ଦୁହେଁ ବାଇକରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ପଳାଇଥିଲେ ଦୁର୍ବୃତ୍ତ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଛି। କଟକରେ ଆଜି ଉଭୟଙ୍କର ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି।
ସେପଟେ, ମାହାଙ୍ଗାର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀଙ୍କ ହତ୍ୟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଟ୍ୱିଟ୍ କରି ଧର୍ମେନ୍ଦ୍ର କହିଛନ୍ତି ଯେ, କୁଳମଣିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଶୁଣି ସେ ଦୁଃଖିତ ଓ ମର୍ମାହତ। ଘଟଣାରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୋର ବିଶ୍ୱାସ ବୋଲି କହିଛନ୍ତି ଧର୍ମେନ୍ଦ୍ର ଏହାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
#ବିଜେପି_ନେତାଙ୍କ_ହତ୍ୟାକୁ_ପରେ_ରାଜ୍ୟ_ରାଜନୀତିରେ_ଆଲୋଡନ
ବିଜେପି ନେତାଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଡନ। ବରିଷ୍ଠ ବିଜେପି ନେତା ଦୁଃଖ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଲେ କାର୍ଯ୍ୟାନୁଷ୍ଠାନ ଦାବି #Bjp #DharmendraPradhan #BaijayantPanda #BhruguBaxipatra #Cuttack #Odisha @BJP4Odisha pic.twitter.com/VYXpRTWWRg— ଓଟିଭି (@otvkhabar) January 3, 2021
ସେହିପରି କୁଳମଣିଙ୍କ ହତ୍ୟାକୁ ନେଇ ମର୍ମାହତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତ। ଏହାସହ କୁଳମଣିଙ୍କ ପରିବାରକୁ ଭଗବାନ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ଶ୍ରୀପଣ୍ଡା କହିଛନ୍ତି।
ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ଅସହିଷ୍ଣୁ ରାଜନୀତି ବଢ଼ିବାରେ ଲାଗିଛି ଓ ସତ ଲୁଚାଇବାକୁ ଚେଷ୍ଟା ଚାଲିଛି ବୋଲି ସେ କହିଛନ୍ତି।
ତେବେ କୁଳମଣି ସାଲେପୁର ବିଜେପିର ମଣ୍ଡଳ ପ୍ରଭାରୀ ଥିଲେ। ଏହାସହ ସେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ। କୁଳମଣିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିଲେ ବି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ଅନ୍ୟପଟେ ବିଜେପି କଟକ ଜିଲ୍ଲା ସଭାପତି ଏହାକୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଶାସକ ଦଳର ସ୍ଥାନୀୟ ନେତୃଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ତେବେ ବିଜେପିର ଅଭିଯୋଗ ଉପରେ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।