ପୁରୀ : ଭଙ୍ଗାଯିବ ଶ୍ରୀମନ୍ଦିର ଚୌହଦୀ। ୭୫ ମିଟର ଭିତରେ ଉଚ୍ଛେଦ ହେବ ସବୁ ନିର୍ମାଣ। ଉଭୟ ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବି.ପି. ଦାଶଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିଶକ୍ରମେ ଗତକାଲି ରାଜ୍ୟ କ୍ୟାବିନେଟ୍ରେ ହୋଇଛି ଏଭଳି ନିଷ୍ପତ୍ତି।
ଏହା କାର୍ଯ୍ୟକାରୀ ହେଲେ ଭଙ୍ଗାଯିବ ୧୨ଟି ବଡ଼ ବଡ଼ ମଠ। ଯାହା ମଧ୍ୟରେ ଅଛି ବହୁଚର୍ଚ୍ଚିତ ଏମ୍ଆର ମଠ, ରାଧାବଲ୍ଲଭ ମଠ ଓ ମହାପ୍ରଭୁଙ୍କୁ ଟାହିଆ ଓ ହାତୀବେଶ ସାମଗ୍ରୀ ଯୋଗାଉଥିବା ରାଘବଦାସ ମଠ ଓ ବଡ଼ଛତା ଭଳି ବହୁ ପୁରାତନ ମଠ, ବିଭିନ୍ନ ନିଯୋଗ ଓ ଯାତ୍ରୀନିବାସ।
ତେବେ ବିନା ଜନ ଶୁଣାଣିରେ କିଭଳି ରାଜ୍ୟ ସରକାର ରାତାରାତି ଏଭଳି ଏକତରଫା ନିଷ୍ପତ୍ତି ନେଲେ ତାକୁ ନେଇ ଆପତ୍ତି ଉଠାଇଛନ୍ତି ସେବାୟତ ଓ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସଦସ୍ୟଙ୍କ ସହ ଜଗନ୍ନାଥ ସେନା । ଏମିତିକି ଦରକାର ପଡ଼ିଲେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ଖାଲି ସେତିକି ନୁହେଁ ଏ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିରକୁ ଶହ ଶହ ବର୍ଷ ଧରି ସୁରକ୍ଷା ଦେଇ ଆସୁଥିବା ସାତ ସାହି ଯେମିତିକି ବାଲି ସାହି, ହରଚଣ୍ଡି, ମାର୍କେଣ୍ଡେଶ୍ୱର, ଦୋଳମଣ୍ଡପ, ମଣିକର୍ଣ୍ଣିକା, ବାଶେଳି ସାହିର ହଜାର ହଜାର ଲୋକ ବାସହରା ହେବେ। ପୂର୍ବରୁ ନବକଳେବର ସମୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୨୫ ଫୁଟ୍ ପର୍ଯ୍ୟନ୍ତ ଜବରଦଖଲ ମୁକ୍ତ କରାଯାଇଥିବାବେଳେ ଏବେ ୭୫ ମିଟର କଥା ଶୁଣି ଚକିତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ। ତେବେ ଏନେଇ ଜିଲ୍ଲାପାଳ କହିଛନ୍ତି, ଏଭଳି କୌଣସି ନିଷ୍ପତ୍ତି ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇନାହିଁ।