ସହର ବସ୍ତିରେ କାୟା ମେଲାଉଛି କରୋନା, ଆରମ୍ଭ ହେଲା ସ୍ଲମ୍ ସର୍ଭେଲାନ୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ଚାଲିଛି କରୋନା। ଚାହୁଁ ଚାହୁଁ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ମୁହାଁ ହୋଇଛିା ତେବେ ବସ୍ତିଗୁଡିକରେ ସ୍ଥାନୀୟ ସଂକ୍ରମଣ ବଢିଚାଲିଥିବାରୁ ସରକାରଙ୍କ ଚିନ୍ତା ବି ବଢିଛି। ଆଉ ଏଥିରେ ବ୍ରେକ୍ ଲଗାଇବା ପାଇଁ ଆରମ୍ଭ ହୋଇଛି ସ୍ଲମ୍ ସର୍ଭେଲାନ୍ସ। ୱାର୍ଡକୁ ୱାର୍ଡ ବୁଲୁଛନ୍ତି ଅଧିକାରୀ, ଏଏନଏମ୍, ଅଙ୍ଗନୱାଡ଼ି କର୍ମୀଙ୍କ ସହ କୋଭିଡ୍ ସଚେତକ କମିଟି।

ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ଜରିଆରେ ହାତ ଧୁଆ, ମାସ୍କ ପିନ୍ଧା ଓ ସାମାଜିକ ଦୂରତା ରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଏପରିକି ୫ଟି ହଟସ୍ପଟ୍ ଜିଲ୍ଲା ଯଥା ଗଂଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁରରୁ ଫେରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଲମ୍ ସର୍ଭେଲାନ୍ସ ଟିମ୍ ତଥ୍ୟ ସଂଗ୍ରହ କରୁଛି। କଟକର ବସ୍ତି ଅଞ୍ଚଳରେ ବି ଡୋର୍ ଟୁ ଡୋର୍ କ୍ୟାମ୍ପେନିଂକୁ ଜୋରଦାର କରାଯାଇଛି।

ବିଏମସି ଅଧିନରେ ରହିଛି ପ୍ରାୟ ୪୩୬ଟି ବସ୍ତି। ଯେଉଁଠୁ ଏଯାଏଁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁବାସନଗର ଓ ସାଲିଆସାହି ବସ୍ତିରୁ ୬ ଜଣ ଲେଖାଏଁ ଥିବା ବେଳେ ଲକ୍ଷ୍ମୀବଜାର ବସ୍ତିରୁ ୯ ଏବଂ ବିଶେଶ୍ୱର ବସ୍ତିର ଜଣେ ସଂକ୍ରମିତ ଅଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକାଲ କେସ୍ ହୋଇଥିବାରୁ ଚିନ୍ତା ବଢିଛି।

ସେହିପରି ବିଭିନ୍ନ ବସ୍ତିର ଲୋକ କାମଧନ୍ଦା ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିବାରୁ ସଂକ୍ରମଣ ଆଶଙ୍କା ବଢିଛି। ସେହିପରି ଅନେକ ଲୋକ ଜିଲ୍ଲା ଓ ରାଜ୍ୟ ବାହାରୁ ମଧ୍ୟ ବସ୍ତିକୁ ଫେରୁଛନ୍ତି। ତେଣୁ ବସ୍ତିଗୁଡିକ ଉପରେ ବିଶେଷ ଦୃଷ୍ଟି ରଖାଯାଇଥିବା କହିଛନ୍ତି କର୍ତ୍ତୃପକ୍ଷ।

ବିଏମସି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ବି ହୋଇଛି। ସେହିପରି ସିଏମସି ଇଲାକାରେ ଚିହ୍ନଟ ୩୫ ସଂକ୍ରମିତଙ୍କ ମଧ୍ୟରୁ ଆଜି ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଛି।

କଟକରେ ବସ୍ତି ସଂକ୍ରମଣ ଉଦବେଗଜନକ ନଥିଲେ ବି ଏଠାରେ ୨ଶହରୁ ଅଧିକ ବସ୍ତି ରହିଥିବାରୁ ସିଏମସି କର୍ତ୍ତୃପକ୍ଷ ସର୍ଭେଲାନ୍ସ ଜାରି ରଖିଛନ୍ତି। ଏପଟେ ନୂଆ ପଜିଟିଭ୍ ଚିହ୍ନଟ ପରେ ସିଡିଏ ୯ ନମ୍ବର ସେକ୍ଟରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

You might also like