ଓଭର୍‌ ଡୋଜ୍‌ ଔଷଧ ଖାଇ ଶିଶୁ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା ଗେଟ୍‌ରେ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ପୁରୀ: ଅଢେଇ ମାସ ଶିଶୁର ମୃତ୍ୟୁକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରିର ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ମୃତଦେହକୁ ଡାକ୍ତରଖାନାର ମୁଖ୍ୟ ଫାଟକରେ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ। ଓଭରଡୋଜ୍‌ ପୋଲିଓ ଔଷଧ ଏବଂ ଚିକିତ୍ସାରେ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ଘଟିଥିବା  ଅଭିଯୋଗ ହୋଇଛି।

ନରଣପୁର ଗାଁର ସ୍ମତିରଞ୍ଜନ ବିଶ୍ୱାଳଙ୍କ ଅଢ଼େଇ ମାସର ଶିଶୁ କନ୍ୟାକୁ ଗତ ବୁଧବାର ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ଟୀକା ଦିଆଯାଇଥିଲା। ଟୀକା ନେବା ପରେ ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ରେବଣା-ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ରକୁ ଅଣିଥିଲେ। ମାତ୍ର ଏହି ସମୟରେ ମେଡିକାଲ୍‌ରେ ଡାକ୍ତର ନଥିଲେ। ମେଡିକାଲ୍‌ର ଫାର୍ମାସିଷ୍ଟ ଶିଶୁଟିକୁ ଦେଖି ମୃତ ଘୋଷଣା କରିଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ,  ପୋଲିଓ ଟିକାର ମାତ୍ରା ଅଧିକ ଦିଆଯାଇଥିଲା। ତାଛଡ଼ା ଗତକାଲି ଗୁରୁତର ଅବସ୍ଥାରେ ଶିଶୁକୁ ଗୋଷ୍ଠୀ କେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ନ ଥିବାରୁ ବହୁ ସମୟ ଧରି ଚିକିତ୍ସା ହୋଇପାରି ନଥିଲା।  ତେବେ ଏ ନେଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ତେବେ ଆଜି ସକାଳେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ମେଡିକାଲ୍‌ ଗେଟ୍‌ରେ ତାଲା ପକାଇ ଧାରଣା ଦେଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ, ପୁଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି।

You might also like