ଅସମ୍ଭାଳ ହେଉଛି କଲେଜ୍‌ କ୍ୟାମ୍ପସ୍‌; ନିର୍ବାଚନ ବାତିଲ୍‌କୁ ଛାତ୍ରଛାତ୍ରୀଙ୍କ ବିରୋଧ

ଭୁବନେଶ୍ୱର: ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନ୍ୟପକ୍ଷେ ବିଭିନ୍ନ କଲେଜ୍‌ରେ ପ୍ରାକ୍‌ ନିର୍ବାଚନୀ ହିଂସା କ୍ୟାମ୍ପସ୍‌କୁ ଅଶାନ୍ତ କରିବାରେ ଲାଗିଛି।

ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ୫ଟି କଲେଜରେ ନିର୍ବାଚନ ବାତିଲ କରିଦିଆଯାଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା।

ନିର୍ବାଚନ ପୂର୍ବରୁ ଏସବୁ କଲେଜରେ ଗଣ୍ଡଗୋଳ ସ୍ଥିତିକୁ ଦେଖି ନିର୍ବାଚନ ନକରାଇବାକୁ ନିଷ୍ପତ୍ତି ନିଆଯାଇଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। ଏହାକୁ ନେଇ ଅଶାନ୍ତି ବଢିବାରୁ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ୍‌ ଲାଗି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ବାତିଲ୍‌ ପରେ କ୍ୟାମ୍ପସ୍‌ରେ ଉତ୍ତେଜନା ସୃଷ୍ଟି ହୋଇଛି। କୁଳପତିଙ୍କୁ ୧୨ଘଣ୍ଟା ଅଟକ ରଖିବା ପରେ ଛାତ୍ରଛାତ୍ରୀମାନେ ଶେଷରେ ଛାଡ଼ିଥିଲେ। ଗତକାଲି ଆନ୍ଦୋଳନରତ ଛାତ୍ରଙ୍କ ସହ ପୁଲିସ୍‌ର ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି।

ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି କଲେଜରେ ବୋମା ଫୁଟିବା ସହ କଲେଜରେ ଭଙ୍ଗାରୁଜା ହୋଇଛି। ଫଳରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। କଲେଜରୁ ସାଇନେ-ଡାଏ ଉଠାଇବା ଦାବିରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ NSUI ପକ୍ଷରୁ ଧାରଣା ଦିଆଯାଇଥିଲା।

ଛାତ୍ର ସଂସଦ ନିର୍ବାଚନ ପାଇଁ ସୋମବାର ବିଭିନ୍ନ କଲେଜ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୧ ତାରିଖରେ ହେବ ନିର୍ବାଚନ। ଅକ୍ଟୋବର ୩ ତାରିଖରେ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ। ୪ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ୍‌ ଫର୍ ମିଟିଂ ଏବଂ ୧୧ ତାରିଖରେ ମତଦାନ ହୋଇ ସେହିଦିନ ଅପରାହ୍ନରେ ଫଳାଫଳ ଘୋଷଣା ହେବ।

 

You might also like