ନୀଳଗିରି: ଦୁଇ ଦିନ ତଳେ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ତେବେ ଘରକୁ ଫେରିବା ବାଟରେ କାର୍‌ ଭିତରେ ଚେତାଶୂନ୍ୟ ହୋଇପଡ଼ିଲେ ଯୁବକ। ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ବାରିପଦାର ମଣ୍ଟୁ ପାତ୍ର।

ସୂଚନା ଅନୁସାରେ, ୨ ଦିନ ତଳେ ମଣ୍ଟୁ ସାଙ୍ଗମାନଙ୍କ ସହ କାର୍‌ରେ ପୁରୀ ବୁଲିବାକୁ ଯାଇଥିଲେ। ଗତକାଲି ପୁରୀରୁ ଫେରିବା ବାଟରେ ନିମପାଳ ନିକଟରେ କିଛି ସମୟ ପାଇଁ ଗାଡ଼ିକୁ ରଖି ଚା’ ପିଇବାକୁ ଯାଇଥିଲୁ। ହେଲେ ମଣ୍ଟୁ ଗାଡ଼ିରୁ ଆସିନଥିଲେ, ଅନ୍ୟମାନେ ଫେରିବା ପରେ ମଣ୍ଟୁ ଚେତାଶୂନ୍ୟ ହୋଇପଡ଼ିଥିଲେ ବୋଲି ମଣ୍ଟୁଙ୍କ ବନ୍ଧୁ କହିଛନ୍ତି। ଏହାପରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଣ୍ଟୁଙ୍କ ମୃତ୍ୟୁକୁ ନେଇ କିଛି ସମୟ ପାଇଁ ମେଡିକାଲ୍‌ ସାମ୍ନାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।

ଅନ୍ୟପକ୍ଷରେ, ମଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ ବିନା ଅନୁମତିରେ ମଣ୍ଟୁଙ୍କୁ ତାଙ୍କ ସାଙ୍ଗମାନେ ଘରୁ ନେଇଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ୨ ଦିନ ହେବ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଥିଲା। ସାଙ୍ଗମାନେ ତାଙ୍କୁ ହତ୍ୟା କରି ଏଭଳି ଅଭିନୟ କରୁଥିବା ମଣ୍ଟୁଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Other Stories